ଦେଶରେ ହଇଚଇ! Gen-Z ଙ୍କୁ ନୂଆ ମେସେଜ୍ ଦେଲେ ଓୱେସି, ଯିଏ ସ୍ତ୍ରୀଙ୍କ କଥା ମାନି ଚଳେ….

Sep 16, 2026 - 18:23
ଦେଶରେ ହଇଚଇ! Gen-Z ଙ୍କୁ ନୂଆ ମେସେଜ୍ ଦେଲେ ଓୱେସି, ଯିଏ ସ୍ତ୍ରୀଙ୍କ କଥା ମାନି ଚଳେ….

ଭୋପାଳ,୧୬।୯: ୟୁନିଫର୍ମ ସିଭିଲ୍ କୋଡ୍ (UCC) ବିରୋଧରେ ଭୋପାଳରେ ଆୟୋଜିତ ରାଲିରେ AIMIM ମୁଖ୍ୟ ତଥା ଲୋକସଭା ଏମପି ଅସଦୁଦ୍ଦିନ ଓୱେସି Gen Z ଯୁବପିଢ଼ିଙ୍କୁ ସମ୍ବୋଧିତ କରି ଭିନ୍ନ ଢଙ୍ଗରେ ବାର୍ତ୍ତା ଦେଇଛନ୍ତି । ଏହି ସମୟରେ ସେ ବୈବାହିକ ଜୀବନ ଓ ପରିବାରରେ ସ୍ତ୍ରୀଙ୍କ ପ୍ରତି ସମ୍ମାନ ସମ୍ପର୍କରେ ମନ୍ତବ୍ୟ ଦେଇ କହିଛନ୍ତି, ‘ଯିଏ ନିଜ ସ୍ତ୍ରୀର କଥା ମାନି ଚଳେ, ସିଏ ହିଁ ଭଲ ପୁରୁଷ।’

ରାଲିରେ ଓୱେସି Gen Z ଯୁବତୀ ଯୁବକଙ୍କୁ ପଚାରିଥିଲେ ଯେ, ସେମାନେ ପରିବର୍ତ୍ତନ ଆଣିବେ କି ନାହିଁ । ଏହାର ଉତ୍ତରରେ ଉପସ୍ଥିତ ଯୁବପିଢ଼ି ଈଶ୍ୱରଙ୍କ ଇଚ୍ଛା ହେଲେ ବୋଲି ପ୍ରତିକ୍ରିୟା ଦେଇଥିଲେ। ଏହାପରେ ଓୱେସି ପଚାରିଥିଲେ, ତୁମେ ନିଜ ଜୀବନରେ କୁରାନ୍‌ ଓ ସୁନ୍ନତକୁ ପ୍ରାଧାନ୍ୟ ଦେବ କି?  ମା’-ବାପାଙ୍କ ସେବା କରିବ କି? ଭଉଣୀମାନଙ୍କୁ ସେମାନଙ୍କ ଅଧିକାର ଦେବ କି? ଏହି ପ୍ରଶ୍ନଗୁଡ଼ିକରେ ମଧ୍ୟ ଭିଡ଼ ପକ୍ଷରୁ ଈଶ୍ୱରଙ୍କ ଇଚ୍ଛା ହେଲେ ବୋଲି ଉତ୍ତର ମିଳିଥିଲା।

ପରେ ଓୱେସି ଉପସ୍ଥିତ ଯୁବପିଢ଼ିଙ୍କୁ ପଚାରିଥିଲେ, ‘ତୁମେ ନିଜ ସ୍ତ୍ରୀର କଥା ମାନି କାମ କରିବ କି?’ ଏହାର ଉତ୍ତରରେ ମଧ୍ୟ ଭିଡ଼ ପକ୍ଷରୁ ସମର୍ଥନ ମିଳିଥିଲା। ଏହାପରେ ଓୱେସି କହିଥିଲେ ଯେ, ଏଥିରେ ଭୟ କିମ୍ବା ଲଜ୍ଜା କରିବାର କିଛି ନାହିଁ । ତାଙ୍କ ମତରେ, ଯିଏ ନିଜ ସ୍ତ୍ରୀର କଥା ମାନି ଚଳେ, ସିଏ ହିଁ ଭଲ ପୁରୁଷ। ଏହି ମନ୍ତବ୍ୟକୁ ନେଇ ରାଲିରେ ଚର୍ଚ୍ଚା ହୋଇଥିଲା। ନିଜ ଉଦାହରଣ ଦେଇ ଓୱେସି କହିଥିଲେ, ‘ମୁଁ ତୁମ ସାମ୍ନାରେ ଠିଆ ହୋଇଛି। ମୋ ଦାଢ଼ି ଖରାରେ ଧଳା ହୋଇନାହିଁ, ଘରେ ଧଳା ହୋଇଛି।’ ତାଙ୍କ ମନ୍ତବ୍ୟର ଅର୍ଥ ଥିଲା, ପରିବାର ଓ ବୈବାହିକ ଜୀବନରେ ସ୍ତ୍ରୀଙ୍କ ପ୍ରତି ସମ୍ମାନ ଓ ସହଯୋଗକୁ ସେ ଗୁରୁତ୍ୱ ଦେଉଛନ୍ତି।

ଉଲ୍ଲେଖଯୋଗ୍ୟ, ଭୋପାଳରେ ଆୟୋଜିତ ଏହି ସଭାରେ ଓୱେସି UCC ପ୍ରସଙ୍ଗରେ ନିଜ ଦଳର ମତ ରଖିଥିଲେ। ଏହା ସହ ଆଗାମୀ ୧୭ ତାରିଖରେ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରସ୍ତାବିତ UCC ବିରୋଧୀ ରାଲିରେ ଯୋଗଦେବାକୁ ମଧ୍ୟ ସେ ଆହ୍ୱାନ କରିଥିବା ରିପୋର୍ଟରେ କୁହାଯାଇଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।