ନଭେମ୍ବର ୩ ରୁ ତିନି ଦିନିଆ ଓଡିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି
ରାଇରଙ୍ଗପୁର : ଆସନ୍ତା ନଭେମ୍ବର ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ ଏହି ଗସ୍ତ ପୂର୍ବରୁ ନଭେମ୍ବର ୪ - ୫ ତାରିଖ ଦୁଇ ଦିନ ପାଇଁ ନିର୍ଦ୍ଧାରିତ ହୋଇଥିବାବେଳେ ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ କାର୍ଯ୍ୟ ସୂଚୀରେ ପରିବର୍ତ୍ତନ କରାଯାଇ ଏହାକୁ ତିନି ଦିନିଆ କରାଯାଇଛି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ତୃତୀୟ ପରିବର୍ତ୍ତନ ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ ସେ କଲାଇକୁଣ୍ଡା (ପଶ୍ଚିମବଙ୍ଗ) ଦେଇ ସଡ଼କ ପଥରେ ରାଇରଙ୍ଗପୁର ଆସିବେ ।
ରାଷ୍ଟ୍ରପତିଙ୍କ ୩ ଦିନିଆ ଗସ୍ତ ସମୟରେ ସେ ନିଜ ଜନ୍ମମାଟି ରାଇରଙ୍ଗପୁରରେ ହିଁ ଅବସ୍ଥାନ କରିବେ । ସେ ନଭେମ୍ବର ୩ ତାରିଖରେ ନୂଆ ଦିଲ୍ଲୀ ସ୍ଥିତ ପାଲାମ ବିମାନ ବନ୍ଦରରୁ ବାୟୁ ସେନାର ବିମାନରେ କଲାଇକୁଣ୍ଡା ଅବତରଣ କରିବେ । ବହଡ଼ାଗୋଡା ଫରେଷ୍ଟ ଗେଷ୍ଟ ହାଉସରେ ମଧ୍ୟାହ୍ନଭୋଜନ ପରେ ସଡ଼କ ପଥରେ ରାଇରଙ୍ଗପୁର ହଲିଡେ ହୋମରେ ପହଞ୍ଚିବେ । ସନ୍ଧ୍ୟାରେ ବହଳଦାସ୍ଥିତ ମା' କିଚକେଶ୍ୱରୀ ମନ୍ଦିରରେ ପୂଜା-ଆରତି କର ରାଇରଙ୍ଗପୁର ବାସଭବନରେ ରାତ୍ରୀଯାପନ କରିବେ । ନଭେମ୍ବର ୪ ମହୁଲଡିହା ଲକ୍ଷ୍ମୀ ମଣ୍ଡପ ଦର୍ଶନ, ସିଏସ୍ଡି କ୍ୟାଣ୍ଟିନ ଉଦଘାଟନ ଓ ୩ ବୀର ନାରୀଙ୍କୁ ସମ୍ମାନିତ କରିବେ । ବାଦାମପାହାଡ଼ ଦୁଇ ଅମୃତ ଭାରତ ଷ୍ଟେସନ ଉଦଘାଟନ ଓ ରାଇରଙ୍ଗପୁରଠାରେ ଥିବା ଗୋଶାଳା ଓ ଆସେକା ବିଲ୍ଡିଂ ନିର୍ମାଣ ଶିଳାନ୍ୟାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବେ । ୫ ତାରିଖ ଗୋରୁମହିଷାଣି ମଲ୍ଟି ସ୍କିଲ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ ଓ ଜାହିରାଠାରେ ଶାଳ/ମହୁଲ ବୃକ୍ଷ ରୋପଣ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
ସୂଚନାନୁସାରେ, ସମ୍ଭାବ୍ୟ ବାତ୍ୟା କାରଣରୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଅକ୍ଟୋବର ୨୮ ଓ ୨୯ର ରେ ସ୍ଥଗିତ ରଖାଯାଇ ନଭେମ୍ବର ପ୍ରଥମ ସପ୍ତାହକୁ ଘୁଞ୍ଚାଯାଇଥିଲା । ରାଷ୍ଟ୍ରପତିଙ୍କ ଏହି ହାଇପ୍ରୋଫାଇଲ୍ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରସ୍ତୁତିକୁ ବ୍ୟାପକ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।