‘ଜ୍ଞାନୋଦୟ: ଶିକ୍ଷା ରୁ ସମୃଦ୍ଧି’ ଯୋଜନାରେ ଆଡମିଶନ ନେଇଥିବା ଶିକ୍ଷାର୍ଥୀଙ୍କୁ ଆଡ଼ମିଶନ ଶୁଳ୍କ ଫେରସ୍ତ
ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ‘ଜ୍ଞାନୋଦୟ: ଶିକ୍ଷା ରୁ ସମୃଦ୍ଧି’ ଯୋଜନା ଅଧୀନରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ‘ଜ୍ଞାନୋଦୟ: ଶିକ୍ଷାରୁ ସମୃଦ୍ଧି (କେଜିରୁ ପିଜି ନିଃଶୁଳ୍କ ଶିକ୍ଷାଦାନ) ଯୋଜନା' ଲାଗୁହେବା ପରେ ସ୍ନାତକ ପାଠ୍ୟକ୍ରମ ଆଡମିଶନ (ଫେଜ୍-୧) ପ୍ରକ୍ରିୟା ସରିଛି । ଆଡମିଶନ ବେଳେ ନାମଲେଖାଇଥିବା ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଆଡମିଶନ୍ ଶୁଳ୍କ ଫେରସ୍ତ କରାଯାଇଛି । ମୋଟ ୧ ଲକ୍ଷ ୧୧ ହଜାର ୬୭୮ ଜଣ ସ୍ନାତକ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬୯.୨୩ କୋଟି ଟଙ୍କା ଫେରସ୍ତ କରାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର କମନ୍ ଆପ୍ଲିକେସନ୍ ଫର୍ମ (CAF) ରେ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି ।
https://samsodisha.gov.in ରେ SAMS ଓଡ଼ିଶା ପୋର୍ଟାଲ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି।
ସୂଚନାନୁସାରେ, ଏହି ଯୋଜନାରେ ରାଜ୍ୟର ସମସ୍ତ ସରକାରୀ , ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ସ୍ନାତକ (UG) ଓ ସ୍ନାତକୋତ୍ତର (PG) ନିୟମିତ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ୧୦୦% ନାମଲେଖା ଶୁଳ୍କ ଛାଡ଼ର ସୁବିଧା ପାଇବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।