ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍: ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୯ା୯(ସୁନିତ୍ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ଭବିଷ୍ୟତ ଓ ନୂତନ ନିବେଶ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। କଟକର ନରାଜଠାରେ ୮୭୦ ଏକର ପରିମିତ ଜମିରେ ‘ଓଡ଼ିଶା ସିଲିକନ ଭାଲି’ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ସେଠାରେ ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍ ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ପ୍ରକଳ୍ପଗୁଡ଼ିକୁ ଏକାଠିକରି ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍ରେ ପରିଣତ କରିବା ପାଇଁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ନରାଜର ଭୌଗୋଳିକ ଅବସ୍ଥିତି ଶିଳ୍ପ ପାଇଁ ଅତ୍ୟନ୍ତ ଅନୁକୂଳ । ଏଠାରୁ ଭୁବନେଶ୍ୱର-କଟକ ସହରାଞ୍ଚଳ କରିଡର ସହ ସୁଗମ ଯୋଗାଯୋଗ ସୁବିଧା ରହିବା ସହ ମହାନଦୀ ନିକଟବର୍ତ୍ତୀ ହୋଇଥିବାରୁ ଆବଶ୍ୟକ ଜଳ ଯୋଗାଣ ମଧ୍ୟ ସହଜ ହୋଇପାରିବ। ଏହାଛଡ଼ା ପାରାଦୀପ ଏବଂ ଧାମରା ବନ୍ଦର ସହ ସଂଯୋଗ ରହୁଥିବାରୁ ଏହା ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳା ପାଇଁ ଏକ ମୁଖ୍ୟ କେନ୍ଦ୍ର ପାଲଟିବ।
ଏହି ସମ୍ମିଳନୀ ଅବସରରେ ରାଜ୍ୟ ସରକାର ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଛନ୍ତି, ଯାହାଦ୍ୱାରା ପ୍ରାୟ ୬,୧୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିହେବା ସମ୍ଭାବନା ରହିଛି। ଏହା ‘ସେମିକନ୍ ୨.୦’ ଅଧୀନରେ ଓଡ଼ିଶାରେ ଏକ ସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର ଭାଲ୍ୟୁ ଚେନ୍ ଗଠନ ଦିଗରେ ଏକ ବଡ଼ ପଦକ୍ଷେପ। ଏହା ସହ ସିଲିକନ୍ କାର୍ବାଇଡ୍ ସବ୍ଷ୍ଟ୍ରେଟ୍ ୱାଫର ପ୍ରସ୍ତୁତି ପାଇଁ ‘କ୍ୱାଡ୍କ୍ୱାଣ୍ଟମ’ ସଂସ୍ଥା ସହ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।
ନୂଆଦିଲ୍ଲୀରେ ଚାଲିଥିବା ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଜାପାନ, ସୁଇଡେନ୍ ଏବଂ ତାଇୱାନର ଅନ୍ତର୍ଜାତୀୟ ପ୍ରତିନିଧି ଦଳ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହାବ୍ୟତୀତ ଲ୍ୟାମ୍ ରିସର୍ଚ୍ଚ, ଆପ୍ଲାଏଡ୍ ମ୍ୟାଟେରିଆଲ୍ସ, ସିକ୍ ସେମ, ଥ୍ରୀ-ଡି ଗ୍ଲାସ୍ ସଲ୍ୟୁସନ ଏବଂ ସାଇଏଣ୍ଟ ଭଳି ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ସିକ୍ ସେମ୍ ଏବଂ ଥ୍ରୀ-ଡି ଗ୍ଲାସ୍ ସଲ୍ୟୁସନ କମ୍ପାନୀର ପ୍ରତିଷ୍ଠା ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ୨ଟି କମ୍ପାନୀ କାମ ବର୍ଷକ ମଧ୍ୟରେ ଶେଷ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ଓଡ଼ିଶାର ସେମିକଣ୍ଡକ୍ଟର ଯାତ୍ରା ବର୍ତ୍ତମାନ କେବଳ ପରିକଳ୍ପନା ସ୍ତରରୁ ଆଗକୁ ଯାଇ ପ୍ରକଳ୍ପ କାର୍ଯ୍ୟାନ୍ବୟନ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆମେ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ପୁଞ୍ଜିନିବେଶ ଆକର୍ଷିତ କରିବାରେ ଏବଂ ସବୁଠାରୁ ବଡ଼ କଥା ହେଲା ପ୍ରମୁଖ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ସଫଳ ହୋଇଛୁ। ‘ସେମିକନ୍ ଇଣ୍ଡିଆ ୨୦୨୬’ରେ ଶିଳ୍ପ ଜଗତର ଅଗ୍ରଣୀ ବ୍ୟକ୍ତିବିଶେଷଙ୍କ ସହ ଆମର ଆଲୋଚନା ଏହି ଗତିକୁ ଆହୁରି ଆଗକୁ ବଢ଼ାଇବା ଏବଂ ଓଡ଼ିଶାକୁ ପରବର୍ତ୍ତୀ ପର୍ଯ୍ୟାୟର ସେମିକଣ୍ଡକ୍ଟର ନିବେଶ ଆଣିବା ଉପରେ କେନ୍ଦ୍ରୀଭୂତ ରହିଛି। ଆମେ ଏଭଳି ଏକ ଇକୋସିଷ୍ଟମ ଗଠନ କରିବାକୁ ଚାହୁଁଛୁ, ଯେଉଁଠାରେ ବିଶ୍ୱସ୍ତରୀୟ ଏବଂ ଭାରତୀୟ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ଉତ୍ପାଦନ, ନବସୃଜନ ଏବଂ ବିକାଶ କରିପାରିବେ।
ଓଡ଼ିଶା ପାଭିଲିୟନରେ ପ୍ରଦର୍ଶିତ ହୋଇଥିବା ‘ସାଣ୍ଡ ଟୁ ସିଲିକନ’ (ବାଲିରୁ ସିଲିକନ) ପ୍ରଦର୍ଶନୀ ରାଜ୍ୟର ଏହି ନୂତନ ଯାତ୍ରାକୁ ବେଶ୍ ଆକର୍ଷଣୀୟ ଭାବେ ଉପସ୍ଥାପନ କରୁଛି। ଏହି ପ୍ରଦର୍ଶନୀ ରାଜ୍ୟର ପରିଚୟକୁ ସିଲିକନ୍ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏହାର ବର୍ଦ୍ଧିତ ମହତ୍ତ୍ୱାକାଂକ୍ଷା ସହିତ ସଂଯୋଗ କରି ରାଜ୍ୟର ସେମିକଣ୍ଡକ୍ଟର ଯାତ୍ରାକୁ ଏକ ସ୍ବତନ୍ତ୍ର ଓଡ଼ିଆ ଅଭିବ୍ୟକ୍ତି ପ୍ରଦାନ କରୁଛି। ଏହା ଓଡ଼ିଶାର ‘ମାଇନ ଇକୋନୋମି’ (ଖଣି ଅର୍ଥନୀତି)ରୁ ‘ମାଇଣ୍ଡ ଇକୋନୋମି’ (ଜ୍ଞାନ ଅର୍ଥନୀତି) ଆଡ଼କୁ ଅଗ୍ରସରହେବାର ବୃହତ୍ତର ଦୂରଦୃଷ୍ଟି ସହ ମଧ୍ୟ ଓତପ୍ରୋତ ଭାବେ ଜଡ଼ିତ।
କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ବ୍ୟତୀତ, ଏକ ଅଗ୍ରଣୀ ସେମିକଣ୍ଡକ୍ଟର ହବ୍ ଭାବେ ଉଭାହେବା ପାଇଁ ଆବଶ୍ୟକ ହେଉଥିବା ବ୍ୟାପକ ଇକୋସିଷ୍ଟମ ଗଠନ ନିମନ୍ତେ ଓଡ଼ିଶା କ୍ରମାଗତ ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ରାଜ୍ୟ ସରକାର ସେମିକଣ୍ଡକ୍ଟର ନୀତିକୁ ବିକଶିତ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ୨.୦ ସହିତ ସମନ୍ବୟ ରକ୍ଷା କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଏହାର ସେମିକଣ୍ଡକ୍ଟର ନୀତିର ସଦ୍ୟତମ ତୃତୀୟ ସଂଶୋଧନ ମାଧ୍ୟମରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ସହାୟତାକୁ ଆହୁରି ବ୍ୟାପକ କରାଯାଇଛି। ଏହି ସଂଶୋଧନ ଜରିଆରେ ଓଡ଼ିଶା ପକ୍ଷରୁ ସେମିକଣ୍ଡକ୍ଟର ଉପକରଣ ତିଆରି, ସେମିକଣ୍ଡକ୍ଟର-ଗ୍ରେଡ୍ ଗ୍ୟାସ୍, କଞ୍ଚାମାଲ ଏବଂ ଯୋଗାଣ ଶୃଙ୍ଖଳା ବିଭାଗରେ ଆଇଏସ୍ଏମ୍-ଅନୁମୋଦିତ ପ୍ରକଳ୍ପଗୁଡ଼ିକୁ ୨୫% ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ବର୍ତ୍ତମାନର ନୀତିଗତ ବ୍ୟବସ୍ଥା ଅଧୀନରେ ୱାର୍କଫୋର୍ସର ଦକ୍ଷତା ବୃଦ୍ଧି, ଇଣ୍ଟର୍ନଶିପ, ଅନ୍ତର୍ଜାତୀୟ ପେଟେଣ୍ଟ ଏବଂ ଗବେଷଣା ତଥା ବିକାଶ ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯାଉଛି।
ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ପ୍ରସଙ୍ଗରେ ମତ ପ୍ରକାଶ କରି କହିଛନ୍ତି, ଆମର ଅଭିଯାନ ହେଉଛି କେବଳ ଗୋଟିଏ କ୍ଷେତ୍ରକୁ ଅଲଗା ଭାବରେ ନ ଦେଖି ବରଂ ସେମିକଣ୍ଡକ୍ଟର ପୁଞ୍ଜିନିବେଶ ଚାରିପାଖରେ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ ବା ପରିବେଶ ସୃଷ୍ଟିକରିବା। ଓଡ଼ିଶା ଏହାର ନୀତିଗତ ଢାଞ୍ଚାକୁ ଆଇଏସ୍ଏମ୍ ୨.୦ ସହିତ ସମନ୍ବୟ କରିବାରେ ଜଣେ ଅଗ୍ରଣୀ ରାଜ୍ୟ ହୋଇଥିବାବେଳେ ଉପକରଣ, ସାମଗ୍ରୀ, ଗ୍ୟାସ୍ ଏବଂ ଯୋଗାଣ ଶୃଙ୍ଖଳା ଭଳି କ୍ଷେତ୍ରଗୁଡ଼ିକୁ ମଧ୍ୟ ବ୍ୟାପକ ସହାୟତା ଯୋଗାଉଛି। ଏହାସହ ଆମେ ବିଶେଷଜ୍ଞ ପ୍ରତିଭା (ଟ୍ୟାଲେଣ୍ଟ) ନିର୍ମାଣ ଏବଂ କମ୍ପାନୀଗୁଡ଼ିକୁ ରାଜ୍ୟରେ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିବା ଓ ସେଗୁଡ଼ିକୁ ଆହୁରି ବଢ଼ାଇବା ପାଇଁ ଆବଶ୍ୟକ ସମସ୍ତ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାରେ ନିବେଶ କରୁଛୁ।
‘ସେମିକନ୍ ଇଣ୍ଡିଆ ୨୦୨୬’ ରେ ଓଡ଼ିଶା ଏକ ଅଗ୍ରଣୀ ସେମିକଣ୍ଡକ୍ଟର ହବ୍ ଭାବେ ନିଜକୁ ପ୍ରତିଷ୍ଠା କରୁଛି, ଯାହା ଏକ ‘ ବିକଶିତ ଭାରତ ପାଇଁ ସମୃଦ୍ଧ ଓଡ଼ିଶା’ ଗଠନ ଦିଗରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।