ନୂଆ କୋଠା ଥାଇ ବି ପୁରୁଣା ଭିତ୍ତିଭୂମିରେ କୋରାପୁଟ ମେଡିକାଲ କଲେଜ
ନନ୍ଦିଘୋଷ ବ୍ୟୁରୋ : ଅବ୍ୟବସ୍ଥା ଘେରରେ କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍ପିଟାଲ । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଛି । ହେଲେ ଭିତ୍ତିଭୂମି ବୃଦ୍ଧି ପାଇଁ ନାହିଁ ପ୍ରଶାସନିକ ପଦକ୍ଷେପ । କେତେବେଳେ ଚଟାଣରେ ରୋଗୀ ଚିକିତ୍ସିତ ହେଉଥିବା ଅଭିଯୋଗ, ତ ଆଉ କେତେବେଳେ ହସ୍ପିଟାଲ କୋଠାରୁ ପାଣି ଗଳିବା ଭଳି ସମସ୍ୟା ସାମ୍ନାକୁ ଆସିଛି । ଏହି ସମସ୍ୟାର ସମାଧାନ ପାଇଁ ପୂର୍ବ ସରକାର ସମୟରେ ପ୍ରାୟ ୨୩୦ କୋଟି ଟଙ୍କା ବ୍ୟୟରେ ୧୦ ଏକର ଜମିରେ ନିର୍ମାଣ ହୋଇଥିଲା ୬୫୦ ବେଡ ବିଶିଷ୍ଟ ନୂତନ ହସ୍ପିଟାଲ କୋଠା । ୨୦୨୫ ଅଗଷ୍ଟ ୮ ତାରିଖରେ ଏହାର ତରବରିଆ ଭାବେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କିନ୍ତୁ ଉଦଘାଟନକୁ ବର୍ଷେ ପୂରିବାକୁ ବସିଥିଲେ ମଧ୍ୟ ବିଭିନ୍ନ କାରଣରୁ ନୂତନ କୋଠା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଫଳରେ ନୂଆ କୋଠା ଥାଇ ବି ପୁରୁଣା ଭିତ୍ତିଭୂମି ଉପରେ ନିର୍ଭର କରୁଛି ସ୍ବାସ୍ଥ୍ୟସେବା । ଖାଲି ସେତିକି ନୁହେଁ ନୂତନ ହସ୍ପିଟାଲ କୋଠାକୁ ଯିବା ପାଇଁ ରାସ୍ତା ନାହିଁ । ଲୋକଙ୍କ ସରକାର କହୁଥିବା ଡବଳ ଇଞ୍ଜିନ ସରକାର କୋରାପୁଟ ଜିଲ୍ଲାର ଏହି ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ଜୋର ଧରିଛି । କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ନୂତନ କୋଠାକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ଜୟପୁର ବିଧାୟକ ତାରା ପ୍ରାସଦ ବାହିନିପତି । ନୁତନ କୋଠାର ଅଗ୍ନି ନିର୍ବାପକ ପ୍ରମାଣ ପତ୍ର ବର୍ତ୍ତମାନ ଯାଏଁ କରାଯାଇନାହିଁ । କେଉଁଭଳି ତରବରିଆ ଭାବରେ କୋଠାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ । ସେପଟେ ତୁରନ୍ତ କୋରାପୁଟ ମେଡିକାଲ କଲେଜ ସ୍ଥାନାନ୍ତର କରିବା ସହିତ ଏକ କୋର କମିଟି ଗଠନ କରାଯାଇଛି । ଖୁବଶୀଘ୍ର ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ ଏବଂ ବିଭିନ୍ନ ବିଭାଗ ପାଇଁ ଆଧୁନିକ ମେସିନାରୀ ଯୋଗାଇବା ନେଇ ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।