ପର୍ବରେ ଆଞ୍ଚଳିକ ଭିନ୍ନତା

Nov 05, 2026 - 08:38
ପର୍ବରେ ଆଞ୍ଚଳିକ ଭିନ୍ନତା

ଉତ୍ତର ଭାରତରେ ଦୀପାବଳି ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ସ୍ମରଣ କରି ପାଳନ କରାଯାଏ। କିନ୍ତୁ ଦକ୍ଷିଣ ଭାରତରେ ଦୀପାବଳି ପାଳନର ପରମ୍ପରା ଭିନ୍ନ। ସେଠାରେ ଏହା ଭଗବାନ୍‌ ଶ୍ରୀକୃଷ୍ଣଙ୍କ ସହ ଜଡ଼ିତ। ବିଶେଷକରି ଶ୍ରୀକୃଷ୍ଣ ନରକାସୁରକୁ ଏହି ଦିନ ବଧ କରିଥିବାକୁ ତାହାକୁ ସ୍ମରଣ କରି ଦୀପାବଳି ପଳନ କରାଯାଏ। ଦକ୍ଷିଣ ଭାରତୀୟ ପରମ୍ପରାରେ ଦୀପାବଳି ବା ଦିୱାଲି ଉତ୍ସବ କୃଷ୍ଣପକ୍ଷର ୧୪ ତମ ଦିନରେ, ଅର୍ଥାତ୍‌ ଅମାବାସ୍ୟା ପୂର୍ୱଦିନ ପାଳନ କରାଯାଏ। ଏହି ଉତ୍ସବରେ ସ୍ତ୍ରୀମାନେ ବଡ଼ି ଭୋରରୁ ସ୍ୱାମୀଙ୍କୁ ତେଲ ଓ ସୁଗନ୍ଧିତ ଦ୍ରବ୍ୟ ଲଗାଇ ଗାଧୋଇ ଦିଅନ୍ତି। ଏହି ପରମ୍ପରା ସତ୍ୟଭାମା ଓ ଶ୍ରୀକୃଷ୍ଣଙ୍କ କାହାଣୀ ଉପରେ ପର୍ଯ୍ୟବସିତ, ଅର୍ଥାତ୍‌ ସତ୍ୟଭାମା ମଧ୍ୟ କୃଷ୍ଣଙ୍କୁ ସ୍ନାନ କରାଇଥିଲେ। ତା’ପରେ ସେହିଦିନ ନରକାସୁରର ବିନାଶକୁ ପ୍ରତିପାଦିତ କରିବା ପାଇଁ ଏକ କାକୁଡି ପରି ଫଳ (କରିତ)କୁ ଖଣ୍ଡ ଖଣ୍ଡ କରାଯାଏ। ଗୋଆରେ ନରକାସୁରର ପୁତ୍ତଳିକା କରାଯାଇ ସେଥିରେ ଅଗ୍ନି ସଂଯୋଗ କରାଯାଇଥାଏ ଏବଂ ସେହିଦିନ ବଡ଼ି ଭୋରରୁ ବାଣ ଫୁଟାଯାଇଥାଏ। ଏହିପରି ଭାବରେ ଦୀପାବଳିକୁ ନେଇ ଆମେ ଉତ୍ତର ଏବଂ ଦକ୍ଷିଣ ଭାରତର ପରମ୍ପରାଗୁଡ଼ିକରେ ସମ୍ପୂର୍ଣ୍ଣ ପାର୍ଥକ୍ୟ ରହିଥିବା ଦେଖିବାକୁ ପାଉ। କହିବାକୁ ଗଲେ ଉତ୍ତର ଭାରତରେ ରାମଙ୍କୁ ନେଇ ଦୀପାବଳି ପାଳନ କରାଯାଉଥିବା ବେଳେ ଦକ୍ଷିଣ ଭାରତରେ ଏହା କୃଷ୍ଣଙ୍କୁ ପ୍ରାଧାନ୍ୟ ଦେଇଥାଏ।
ପଶ୍ଚିମ ଭାରତରେ ଅମାବାସ୍ୟା ଦିନ ବିଶେଷକରି ବ୍ୟବସାୟୀମାନେ ଦୀପାବଳି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି। ସେମାନେ ଏହି ଦିନ ସେମାନଙ୍କ ବ୍ୟବସାୟିକ କାରବାର ଅର୍ଥାତ୍‌ ନୂତନ ହିସାବ ଖାତା ବା ବର୍ଷର ନୂଆ ହିସାବ ଆରମ୍ଭ କରିଥାନ୍ତି। ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜା ସହ କୃଷ୍ଣଙ୍କୁ ୫୬ ପ୍ରକାରର ଭୋଗ ଅର୍ପଣ କରାଯାଇଥାଏ। ଏହାର ଦୁଇ ଦିନ ପରେ ଯମଙ୍କୁ ଭେଟ କରିବା ପାଇଁ ତାଙ୍କ ଭଉଣୀ ଯମି ବା ଯମୁନା ଆସନ୍ତି। ଯମୁନା ଏକ ନଦୀ ହୋଇଥିବାରୁ, ଅନ୍ୟ ନଦୀମାନଙ୍କ ପରି ସେ ମଧ୍ୟ ଲକ୍ଷ୍ମୀଙ୍କ ଭଳି ପୂଜନୀୟା। ଯମ ହେଉଛନ୍ତି ମୃତ୍ୟୁ ଦେବତା। ମୃତ୍ୟୁ ଜଗତ ବା ମୃତ୍ୟୁଲୋକର ସେ ମାଲିକ ଓ ସେଠାରେ ହିଁ ସେ ରହିଥାନ୍ତି। କର୍ମ (ଭଲ ଓ ମନ୍ଦ) ଅନୁଯାୟୀ କି ଦଣ୍ଡ ମଣିଷ ପାଇବ ତାହା ଚିତ୍ରଗୁପ୍ତ ନିର୍ଦ୍ଧାରଣ କରନ୍ତି। ତାହାକୁ ବିଚାରକୁ ନେଇ ଯମରାଜା ମଣିଷର ଭଲ ମନ୍ଦ କର୍ମ ଅନୁଯାୟୀ ସେମାନଙ୍କୁ ଦଣ୍ଡ ଦିଅନ୍ତି। ଏହିପରି ଭାବରେ ଧନ ଓ ସମୃଦ୍ଧିର ପ୍ରତୀକ ଭଉଣୀ ନିଜ ଭାଇଙ୍କ କଲ୍ୟାଣ କାମନା କରନ୍ତି। ଏହାର ଗଭୀର ଅର୍ଥ ହେଉଛି, ମନୁଷ୍ୟ ନିଜ ଜୀବନରେ ନାରୀଙ୍କୁ ସମ୍ମାନ, ଦାୟିତ୍ୱ ଓ ଉତ୍ତରଦାୟିତ୍ୱର ସହିତ ବ୍ୟବହାର କରିବା ଉଚିତ।
ଦୀପାବଳି ଅମାବାସ୍ୟା ମଧ୍ୟ ପାତାଳର ରାଜା ବଳିଙ୍କ ଉତ୍‌ଥାନକୁ ପ୍ରତିପାଦିତ କରେ। ଏହି ଦିନ ସେ ପାତାଳରୁ ଉପରକୁ ଆସି ତା’ପରଦିନ ପୁଣି ପାତଳକୁ ଫେରିଯାଆନ୍ତି। ବଳି ଏହିଦିନ ଏଭଳି ଉପରକୁ ଆସିବା ଓ ପୁଣି ପାତାଳକୁ ଫେରିଯିବା ପରମ୍ପରାର କୃଷି ସହିତ ସମ୍ପର୍କ ରହିଛି। ଅସୁର ରାଜା ବଳିଙ୍କ ଆଗମନ ପୃଥିବୀରେ ଫସଲ ଭଲ ଭାବେ ବଢିବା ଏବଂ ଅଧିକ ଅମଳକୁ ସୂଚିତ କରେ। ତାଙ୍କ ଆଗମନକୁ ସ୍ୱାଗତ କରିବା ପାଇଁ ଦୀପାବଳି ଅମାବାସ୍ୟା ରାତିରେ ଜୁଆ ଖେଳିବାର ପରମ୍ପରା ମଧ୍ୟ ରହିଛି।
ବୈଦିକ ଯୁଗରେ ନକାରାତ୍ମକ ଶକ୍ତିଗୁଡ଼ିକୁ କେବଳ ରାକ୍ଷସ ବା ଅସୁର ଭାବରେ ଦେଖାଯାଉ ନ ଥିଲା, ବରଂ ସେଗୁଡ଼ିକୁ ପିତୃପୁରୁଷ (ପିତୃ) ଓ ଭୂତପ୍ରେତ (ଭୂତ)ଙ୍କ ସହିତ ଜଡ଼ିତ କରାଯାଉଥିଲା। ନକାରାତ୍ମକ ଶକ୍ତି ରାକ୍ଷସଠାରେ କମ୍‌ ଏବଂ ପିତୃପୁରୁଷ (ପିତୃ) ଏବଂ ଭୂତଠାରେ ଅଧିକ ଥିଲା। ତେଣୁ ଭାରତର ପୂର୍ୱାଞ୍ଚଳରେ ଦୀପାଳବଳି କୌଣସି ଅସୁରକୁ କେନ୍ଦ୍ର କରି ପାଳନ କରାଯାଇ ନ ଥାଏ। ସେଠାରେ ଏହି ଉତ୍ସବ ମୃତବ୍ୟକ୍ତି ଅର୍ଥାତ୍‌ ପିତୃପୁରୁଷଙ୍କ ସହ ଜଡ଼ିତ। ପଶ୍ଚିମବଙ୍ଗରେ ଦୀପାବଳି ପୂର୍ୱଦିନକୁ ‘ଭୂତ ଚତୁର୍ଦ୍ଦଶୀ’ କୁହାଯାଏ। ଏହି ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ୧୪ଟି ଦୀପ ଜଳାଯାଏ ଏବଂ ୧୪ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇ ସେମାନଙ୍କୁ ଅର୍ପଣ କରାଯାଏ। ଦୀପାବଳି ମା’କାଳୀଙ୍କ ଆଗମନକୁ ଦର୍ଶାଏ। ଏହି ଦିନ ମା’ କାଳୀଙ୍କ ପୂଜାର୍ଚ୍ଚନା କରାଯାଏ। ମା’ ଲକ୍ଷ୍ମୀଙ୍କ ପୂଜା ଏହାର ପକ୍ଷେ( ୧୫ ଦିନ) ପୂର୍ୱରୁ ଅର୍ଥାତ୍‌ ଶାରଦ ପୂର୍ଣ୍ଣିମାର ପୂର୍ଣ୍ଣଚନ୍ଦ୍ର ରାତିରେ ସମ୍ପନ୍ନ କରାଯାଇଥାଏ।
ଓଡ଼ିଶାର ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ଏହି ସମୟରେ ବିଶାଳ ଜନସମାଗମ ହୋଇଥାଏ। ବିଶେଷକରି ଲୋକମାନେ ସେମାନଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ବା ପିଣ୍ଡଦାନ କରି ସେମାନଙ୍କୁ ଖାଇବାକୁ ଦିଅନ୍ତି । ପିତୃପୁରୁଷମାନଙ୍କୁ ମର୍ତ୍ତ୍ୟରୁ ପିତୃଲୋକକୁ ଫେରିଯିବା ପାଇଁ ଦୀପ ଜାଳି ପଥ ଦେଖାଇଥାଆନ୍ତି । ବିଶ୍ୱାସ ଅନୁସାରେ, ଜଗନ୍ନାଥଙ୍କ ରଥଯାତ୍ରା ଶେଷ ହେବା ପରେ ପିତୃପୁରୁଷମାନେ ପୃଥିବୀକୁ ଆସନ୍ତି। ଚାରିମାସ ବ୍ୟାପୀ ଚାଲୁଥିବା ଚତୁର୍ମାସ୍ୟା ଶେଷ ହେବା ସମୟରେ ଏବଂ ଭଗବାନ ବିଷ୍ଣୁ ନିଦ୍ରାରୁ ଉଠିବାକୁ ଯାଉଥିବା ବେଳେ ସେମାନେ ପୁନର୍ୱାର ପୃଥିବୀ ଛାଡ଼ି ପିତୃଲୋକକୁ ଫେରିଯାଆନ୍ତି।
ଭାରତରେ ବୈଦିକ ଯୁଗରୁ ପିତୃପୁରୁଷଙ୍କ ପୂଜା କରିବା ଓ ଶ୍ରାଦ୍ଧ ଦେବା ପରମ୍ପରା ରହିଆସିଛି। ବୈଦିକ ସମୟରେ ଗୃହକର୍ତ୍ତାମାନେ ବସନ୍ତ ଏବଂ ଗ୍ରୀଷ୍ମ ଋତୁରେ ପୂର୍ୱ ଆଡ଼କୁ ମୁହଁ କରି ଦେବତାମାନଙ୍କୁ ପୂଜା କରନ୍ତି ଓ ଅର୍ଘ୍ୟ ଅର୍ପଣ କରୁଥିଲେ। କିନ୍ତୁ ବର୍ଷା ଏବଂ ତା’ପରବର୍ତ୍ତୀ ଶରତ ଓ ଶୀତ ଋତୁରେ ପାଳନ କରାଯାଉଥିବା ପର୍ୱଗୁଡ଼ିକର ପିତୃପୁରୁଷ ଓ ଭୂତମାନଙ୍କ ସହିତ ଏବଂ ପରବର୍ତ୍ତୀ ସମୟରେ ସେହି ପର୍ୱଗୁଡ଼ିକ ଅସୁର ଓ ଭୂତମାନଙ୍କ ସହିତ ଜଡ଼ିତ ହୋଇଗଲା। ଏହିପରି ଭାବରେ ପିତୃଲୋକ ବା ମୃତମାନଙ୍କ ସ୍ଥାନକୁ ଅସୁରମାନଙ୍କ ଭୂଗର୍ଭସ୍ଥ ପାତାଳଲୋକ ଏବଂ କର୍ମଋଣରେ ବନ୍ଧା ଜୀବମାନଙ୍କ ନରକ ସହିତ ଯୋଡ଼ାଯାଇଛି। ଦୀପାବଳି ଏହି ସମସ୍ତ ସତ୍ତା ଓ ଶକ୍ତିମାନଙ୍କୁ ସ୍ୱୀକାର କରେ। ଏହା ଆମକୁ ଶିଖାଏ ଯେ ଦାନ, ଦୟା, ଉଦାରତା ଓ ପରୋପକାର ହିଁ ଋଣମୁକ୍ତି ଏବଂ ମୃତାତ୍ମାମାନଙ୍କୁ ପୁନର୍ଜନ୍ମର ଚକ୍ରରୁ ମୁକ୍ତ କରିବାର ଏକମାତ୍ର ମାର୍ଗ।
ଭାରତରେ ହିନ୍ଦୁ ଧର୍ମର ଦୀପାବଳିରେ ଭିନ୍ନତା ରହିଆସିଛି। ଆମେ ଏବେ ଏଭଳି ଏକ ଦୁନିଆରେ ରହିଛୁ ଯେଉଁଠାରେ ଉତ୍ତର ଭାରତୀୟ ପୁରାଣ ଓ ପରମ୍ପରା ଅନ୍ୟ ସମସ୍ତ ଭାରତୀୟ ହିନ୍ଦୁ ପରମ୍ପରାକୁ ଆଚ୍ଛାଦିତ କରିଦେଉଥିବାବେଳେ ପୂର୍ୱ, ପଶ୍ଚିମ ଓ ଦକ୍ଷିଣ ଭାରତର ଦୀପାବଳି ସମ୍ପର୍କିତ ବିଭିନ୍ନ ପରମ୍ପରାକୁ ମନେ ପକାଇବା ଆବଶ୍ୟକ। କାରଣ ଏହି ପରମ୍ପରାଗୁଡ଼ିକ ଆମକୁ ହିନ୍ଦୁ ଧର୍ମର ବିବିଧତା, ବିଶାଳତା ଓ ସାଂସ୍କୃତିକ ସମୃଦ୍ଧିର ପରିଚୟ ଦେଇଥାଏ।
-devduttofficial@gmail.com


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।