ମାନବତାର ଆଲୋକବର୍ତ୍ତିକା
ଆଧୁନିକତାର ଚାକଚକ୍ୟ, କୋଳାହଳ ଏବଂ ସ୍ବାର୍ଥପର ଦୌଡ଼ଠାରୁ ବହୁ ଦୂରରେ ସୁଇଜରଲାଣ୍ଡର ଆଲପସ୍ ପର୍ବତମାଳାର ବରଫାବୃତ କୋଳରେ ଅବସ୍ଥିତ ଜର୍ମାଟ୍, ମୁରେନ୍ କିମ୍ବା ଗିମେଲୱାଲ୍ଡ ଭଳି ଦୂରବର୍ତ୍ତୀ ପ୍ରାକୃତିକ ଗ୍ରାମଗୁଡ଼ିକ କେବଳ ଭୌଗୋଳିକ ସୌନ୍ଦର୍ଯ୍ୟର ଆଧାର ନୁହେଁ, ଏହା ମାନବୀୟ ମୂଲ୍ୟବୋଧ, ନିଃସ୍ବାର୍ଥପର କରୁଣା ଏବଂ ନୈତିକତାର ଏକ ଜୀବନ୍ତ ତୀର୍ଥକ୍ଷେତ୍ର। ଏହି ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ପ୍ରକୃତିର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବାସ କରୁଥିବା ନାରୀମାନେ ସେମାନଙ୍କ ସରଳ ଜୀବନଶୈଳୀ, ପରୋପକାରିତା ଏବଂ ଅତୁଳନୀୟ ସେବାଭାବ ଦ୍ୱାରା ସାରା ବିଶ୍ୱର ନାରୀ ସମାଜ ତଥା ସମଗ୍ର ମାନବଜାତି ପାଇଁ ଏକ ଦୀପ୍ତିମାନ ଆଦର୍ଶ ପାଲଟିଛନ୍ତି। ସେମାନଙ୍କର ଅନ୍ତର୍ନିହିତ ଗୁଣଗୁଡ଼ିକ କେବଳ ସେମାନଙ୍କ ନିଜ ପରିବାରକୁ ସୀମିତ ନ ରଖି, ସମଗ୍ର ବିଶ୍ୱକୁ ପ୍ରେରଣା ଓ ମାର୍ଗଦର୍ଶନ ଯୋଗାଉଛି।
ଜୀବନର ପ୍ରକୃତ ଅର୍ଥ କ’ଣ, ତାହା ସୁଇଜରଲାଣ୍ଡର ଏହି ପାହାଡ଼ିଆ ଗ୍ରାମର ମହିଳାମାନଙ୍କ ଦୈନନ୍ଦିନ ଆଚରଣରୁ ସ୍ପଷ୍ଟ ଜାଣିହୁଏ। ଭୌତିକ ସମ୍ପତ୍ତି, କୃତ୍ରିମ ଆଡ଼ମ୍ବର ବା ଅହଂକାରପୂର୍ଣ୍ଣ ସଫଳତାଠାରୁ ସେମାନେ ମାନବୀୟ ସମ୍ପର୍କ, ପାରସ୍ପରିକ ବିଶ୍ୱାସ ଏବଂ ଅନ୍ତର୍ନିହିତ ମୂଲ୍ୟବୋଧକୁ ସର୍ବୋଚ୍ଚ ସ୍ଥାନ ଦିଅନ୍ତି। ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ସନ୍ତୋଷ, ଶୃଙ୍ଖଳା ଏବଂ କୃତଜ୍ଞତାର ସହ ଗ୍ରହଣ କରିବା ସେମାନଙ୍କ ସ୍ବଭାବର ଏକ ଅଭିନ୍ନ ଅଙ୍ଗ। ସେମାନେ ନିଜର ଆଚରଣ ଦ୍ୱାରା ଏହା ପ୍ରମାଣ କରନ୍ତି ଯେ ଜୀବନର ମୂଳ ମହତ୍ତ୍ୱ ବଡ଼ ବଡ଼ ଅଟ୍ଟାଳିକା କିମ୍ବା ପ୍ରଚୁର ଧନଦୌଲତରେ ନାହିଁ, ବରଂ ଏକ ସରଳ, ଶାନ୍ତିପୂର୍ଣ୍ଣ, ସଚ୍ଚୋଟ ଏବଂ ଅନ୍ୟର ଉପକାରୀ ଜୀବନଯାପନ କରିବାରେ ହିଁ ପ୍ରକୃତ ସୁଖ ନିହିତ ଅଛି।
ଏହି ଦୂରବର୍ତ୍ତୀ ଗ୍ରାମଗୁଡ଼ିକରେ ବ୍ୟକ୍ତିଗତ ସ୍ବାର୍ଥବାଦ କିମ୍ବା ଏକାନ୍ତବାଦର ସ୍ଥାନ ନାହିଁ; ବରଂ ସାମାଜିକ ଏକତା, ପାରସ୍ପରିକ ଭାଇଚାରା ଏବଂ ସମୁଦାୟର ମିଳିତ କଲ୍ୟାଣ ସେମାନଙ୍କର ମୁଖ୍ୟ ମନ୍ତ୍ର। ସେମାନେ ପରସ୍ପରର ଦୁଃଖସୁଖର ପ୍ରକୃତ ସାଥୀ ହୋଇ ରୁହନ୍ତି। ସାମାଜିକ ମୂଲ୍ୟବୋଧକୁ ଜୀବନ୍ତ ରଖିବା ପାଇଁ ସେମାନେ ନିଜର ଦୈନନ୍ଦିନ କଠିନ ପରିଶ୍ରମ ଓ ବ୍ୟସ୍ତତା ଭିତରୁ ସମୟ ବାହାର କରି ପଡ଼ୋଶୀ ଏବଂ ଗ୍ରାମବାସୀଙ୍କୁ ସାହାଯ୍ୟ କରନ୍ତି। ଯଦି ଗାଁରେ କାହାର ଦେହ ଖରାପ ହୁଏ କିମ୍ବା ଘରେ ଖାଦ୍ୟ ନ ଥାଏ, ତେବେ କୌଣସି ସରକାରୀ ଯୋଜନାକୁ ଅପେକ୍ଷା ନ କରି ପଡ଼ୋଶୀ ମହିଳାମାନେ ନିଜେ ଆଗେଇ ଆସନ୍ତି। ରନ୍ଧା ଖାଦ୍ୟ ପହଞ୍ଚାଇବା, ଘରର ବଗଡ଼ା ସଫା କରିବା, ଲୁଗାପଟା ଧୋଇବା, ରୋଗୀର ସେବାକରିବା, ଦୁର୍ଦ୍ଦଶାଗ୍ରସ୍ତ ପରିବାରର ପଶୁମାନଙ୍କୁ ଚରାଇନେବା କିମ୍ବା ଛୋଟ ପିଲାଙ୍କ ଯତ୍ନ ନେବା ଭଳି କାର୍ଯ୍ୟଗୁଡ଼ିକ ସେମାନେ ନିଜ ଇଚ୍ଛାରେ କରିଥାଆନ୍ତି। ଏହି ଦୃଢ଼ ସାମାଜିକ ବନ୍ଧନ ସେମାନଙ୍କ ସମାଜକୁ ଅଧିକ ସୁରକ୍ଷିତ, ସହାୟକ ଏବଂ ଆଶ୍ୱାସନାପୂର୍ଣ୍ଣ କରିଥାଏ।
ପ୍ରକୃତିର ନୀରବତା, ବିସ୍ତୀର୍ଣ୍ଣ ପର୍ବତମାଳା ଏବଂ ନିର୍ମଳ ପରିବେଶ ସେମାନଙ୍କ ଭିତରେ ଏକ ଗଭୀର ଦାର୍ଶନିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିଥାଏ। ସତ୍ୟତା, ଧର୍ମ, କର୍ତ୍ତବ୍ୟନିଷ୍ଠା ଏବଂ ନୈତିକତା ସେମାନଙ୍କ ପ୍ରତ୍ୟେକ କାର୍ଯ୍ୟରେ ପ୍ରତିଫଳିତ ହୁଏ। ସେମାନେ ଦୃଢ଼ ଭାବେ ବିଶ୍ୱାସ କରନ୍ତି ଯେ ପ୍ରକୃତି ସହିତ ସନ୍ତୁଳନ ରକ୍ଷା କରି ବଞ୍ଚିବା, କାହାର ଅନିଷ୍ଠ ନ କରିବା ଏବଂ ନିଜ କର୍ତ୍ତବ୍ୟକୁ ନିଷ୍ଠାରେ ପାଳନ କରିବା ହେଉଛି ସର୍ବଶ୍ରେଷ୍ଠ ମାନବ ଧର୍ମ। ସେମାନଙ୍କ ଏହି ନୈତିକ ଦୃଢ଼ତା ପିଢ଼ିରୁ ପିଢ଼ିକୁ ଏକ ସଂସ୍କାର ରୂପେ ସ୍ଥାନାନ୍ତରିତ ହୋଇଥାଏ।
ଆଲପସ୍ ପର୍ବତମାଳାର ଦୁର୍ଗମ ଅଞ୍ଚଳରେ ଶୀତ ଦ୍ୱାରା ପ୍ରବଳ ତୁଷାରପାତ, ଝଡ଼ବାତ୍ୟା ଏବଂ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବା ଏକ ସାଧାରଣ କଥା। କିନ୍ତୁ ଏହିପରି ବିପଦପୂର୍ଣ୍ଣ ଏବଂ ଜରୁରୀ ପରିସ୍ଥିତିରେ ଏହି ମହିଳାମାନେ ଯେଉଁ ଅସାଧାରଣ ସାହସ, ମାନବିକତା ଏବଂ ପରୋପକାରିତାର ପରିଚୟ ଦିଅନ୍ତି, ତାହା ସାରା ବିଶ୍ୱକୁ ଚମତ୍କୃତ କରିଥାଏ। କୌଣସି ଯାତ୍ରୀ, ହଜିଯାଇଥିବା ବ୍ୟକ୍ତି କିମ୍ବା ଆଶ୍ରୟହୀନ ପ୍ରାଣୀ ବିପଦରେ ପଡ଼ିଲେ, ସେମାନେ ନିଜର ଜୀବନ ଏବଂ ସୁଖକୁ ବାଜି ଲଗାଇ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ସେମାନଙ୍କ ପାଇଁ ‘ଅତିଥି ଦେବୋ ଭବ’ ଏବଂ ‘ଜୀବ ସେବା ହିଁ ମାଧବ ସେବା’ର ଭାବନା କେବଳ କାଗଜକଲମର କଥା ନୁହେଁ, ବରଂ ବାସ୍ତବ ଜୀବନର ଆଚରଣ ।
ସେମାନେ ପ୍ରକୃତିକୁ କେବଳ ଉପଭୋଗ କରନ୍ତି ନାହିଁ, ବରଂ ପ୍ରକୃତିର ସୁରକ୍ଷାକୁ ନିଜର ମୁଖ୍ୟ କର୍ତ୍ତବ୍ୟ ଭାବନ୍ତି। ପ୍ରଦୂଷଣମୁକ୍ତ ଏବଂ ଶାନ୍ତ ପରିବେଶରେ ସରଳ ଜୀବନଯାପନ କରିବା ସେମାନଙ୍କର ବଡ଼ ସ୍ବତନ୍ତ୍ରତା।
ଏହି ମହିଳାମାନେ ସମୟକୁ ଅତି ସୂକ୍ଷ୍ମ ଭାବରେ ସମ୍ମାନ କରନ୍ତି। ସେମାନଙ୍କ ଦୈନନ୍ଦିନ ଚଳଣିରେ ସମୟ ନିଷ୍ଠା ଏବଂ ଶୃଙ୍ଖଳା ପ୍ରମୁଖ ସ୍ଥାନ ଅଧିକାର କରିଥାଏ। ସେମାନଙ୍କ ସମାଜରେ ଅନ୍ୟର ବ୍ୟକ୍ତିଗତ ଜୀବନରେ ଅଯଥା ହସ୍ତକ୍ଷେପ ନ କରିବା ଏବଂ ପରସ୍ପରର ସ୍ବାଧୀନତାକୁ ସମ୍ମାନ ଦେବା ଏକ ବଡ଼ ସଂସ୍କାର। ମହିଳାମାନେ କଥାବାର୍ତ୍ତାରେ ଅତ୍ୟନ୍ତ ସ୍ପଷ୍ଟ, ସଚ୍ଚୋଟ ଏବଂ ନିର୍ଭୀକ ହୋଇଥାଆନ୍ତି। ସେମାନେ ବିନା ଦ୍ୱିଧାରେ ସତ କଥାକୁ ଶୃଙ୍ଖଳିତ ଭାବେ ପ୍ରକାଶ କରିବାକୁ ପସନ୍ଦ କରନ୍ତି। ଗ୍ରାମର ପ୍ରତ୍ୟେକ ମହିଳା ବିପଦରେ କିମ୍ବା ଆବଶ୍ୟକ ସମୟରେ ପରସ୍ପରକୁ ନିଜର ପରିବାର ଭଳି ସାହାଯ୍ୟ କରନ୍ତି।
ଏହି ଦୂରବର୍ତ୍ତୀ ପାହାଡ଼ିଆ ଗ୍ରାମର ନାରୀମାନଙ୍କ ଜୀବନଚର୍ଯ୍ୟାରୁ ସମଗ୍ର ବିଶ୍ୱର ମହିଳାମାନେ ନିମ୍ନଲିଖିତ ମୂଲ୍ୟବାନ ଶିକ୍ଷା ଲାଭ କରିପାରିବେ।ଜୀବନରେ ଯେତେ ବଡ଼ ପ୍ରତିକୂଳ ପରିସ୍ଥିତି ବା ସଙ୍କଟ ଆସୁନା କାହିଁକି, ଅପାର ଧୈର୍ଯ୍ୟ ଓ ଦୃଢ଼ ମନୋବଳ ସହିତ ତାହାର ମୁକାବିଲା କରିବା ଉଚିିତ। ପ୍ରକୃତିର ଶୋଷଣ ନ କରି, ଏହାର ସୁରକ୍ଷା କରିବା ଏବଂ ଏହା ସହ ମିଳିମିଶି ବଞ୍ଚିବା ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ।
ସୁଇଜରଲାଣ୍ଡର ଏହି ପାହାଡ଼ିଆ ଅଞ୍ଚଳର ମହିଳାମାନେ କେବଳ ସେହି ଭୂଖଣ୍ଡର ସୀମା ଭିତରେ ସୀମାବଦ୍ଧ ନୁହନ୍ତି; ବରଂ ସେମାନେ ସମଗ୍ର ବିଶ୍ୱର ନାରୀ ସମାଜ ଏବଂ ମାନବଜାତି ପାଇଁ ଏକ ଆଲୋକବର୍ତ୍ତିକା । ସେମାନଙ୍କର ପ୍ରେମ, କରୁଣା, ନିଃସ୍ବାର୍ଥପର ସେବା ଏବଂ ମାନବୀୟ ମୂଲ୍ୟବୋଧରେ ପରିପୂର୍ଣ୍ଣ ଜୀବନଚର୍ଯ୍ୟା ଆଜିର ଅଶାନ୍ତ, ଯୁଦ୍ଧଖୋର ଏବଂ ଅହଂକାରୀ ବିଶ୍ୱକୁ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ମାନବିକତାର ପ୍ରକୃତ ପଥ ଦେଖାଏ।
ମନୋଜ କୁମାର ଶତପଥୀ
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଶିକ୍ଷକ
ଭାପୁର, ନୟାଗଡ଼
ମୋ: ୯୯୩୮୫୫୯୫୬୮
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।