ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି
କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କୋଣାର୍କ ସୂତାକଳକୁ ଗସ୍ତ କରି ଭିତ୍ତିିଭୂମି ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ବୟନଶିଳ୍ପ ବିଭାଗର କମିଶନର ତାପସପୁନମ ଗୁହା ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ଜିଲା ପ୍ରଶାସନର ଅଧିକାରୀ ଏବଂ ଭାଜପାର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ।
ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ଏବଂ ପ୍ରତିନିଧି ଦଳ ସୂତାକଳର ସମଗ୍ର ପରିସର ବୁଲି ଦେଖିବା ସହ ସେଠାରେ ଥିବା ବିଭିନ୍ନ ଗୋଦାମ ଘର, ପୁରୁଣା ଯନ୍ତ୍ରାଂଶ ଏବଂ ସମଗ୍ର ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିଥିଲେ। ପରିଦର୍ଶନ ଶେଷରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବେ ଠିକ ରହିଛି ଏବଂ ଏହାକୁ ପୁନର୍ବାର ପିପିପି ମୋଡ ଅର୍ଥାତ ଘରୋଇକରଣ କରାଯାଇ କାର୍ଯ୍ୟକ୍ଷମ କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ। ଏହି ବିଷୟରେ ଖୁବଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଏକ ଘରୋଇ ସଂସ୍ଥା କୋଣାର୍କ ସୂତାକଳର ପରିଚାଳନା ଦାୟିତ୍ୱ ନେଇ ପ୍ରାୟ ୧ ହଜାର ୨୦୦ କୋଟି ଟଙ୍କା ବ୍ୟୟରେ ଏହାର ଆଧୁନିକୀକରଣ ଓ ପୁନଃକାର୍ଯ୍ୟକ୍ଷମ କରିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଏହି ସୁତାକଳ କାର୍ଯ୍ୟକ୍ଷମ ହେଲେ ବହୁ ଗରିବ ଶ୍ରେଣୀର ଶ୍ରମିକ ଉପକୃତ ହେବେ। ଏହି ପରିଦର୍ଶନ ବେଳେ ଜିଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସମେତ ଭାଜପାର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।