ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଜଣେ ଗିରଫ
ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ଧବଳେଶ୍ୱର ପ୍ରଧାନ ଏବଂ ତାଙ୍କ ସାଙ୍ଗ କୃଷ୍ଣ ଗୌଡ଼ ଓରଫ କାଳିଆଙ୍କୁ ଗ୍ରାମ ନିକଟ ପୁରୁଣା ହାଇସ୍କୁଲ ନିକଟରେ ବୁଧବାର ସନ୍ଧ୍ୟା ୭ଟାରେ କେତେ ଜଣ ଯୁବକ ସଂଘବଦ୍ଧ ଭାବେ ଖଣ୍ଡା ଓ କାତିରେ ହାଣି ହତ୍ୟା ଉଦ୍ୟମ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଗୁହାଳପୁର ଗ୍ରାମର ମୁକେଶ ପ୍ରଧାନ(୩୨)ଙ୍କୁ ଶୁକ୍ରବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠା ଯାଇଛି।
ଖବରରୁ ପ୍ରକାଶ, ବୁଧବାର ସନ୍ଧ୍ୟାରେ ଧବଳେଶର, କୃଷ୍ଣ, ଶୁଭମ ଏବଂ ତାଙ୍କ ୩ ସାଙ୍ଗ ହାଇସ୍କୁଲ ପିଣ୍ଡାରେ ବସି କଥା ହେଉଥିବା ବେଳେ ମୁକେଶ ଏବଂ ତାଙ୍କ ୫ ସହଯୋଗୀ ଖଣ୍ଡା, କାତି, ଭୁଜାଲି, ଠେଙ୍ଗା ଆଦି ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ଶୁଭମଙ୍କୁ ଗାଳି କରିଥିଲେ। ଶୁଭମ, ଧବଳେଶର, କୃଷ୍ଣ ଏବଂ ତାଙ୍କ ସାଙ୍ଗମାନେ ଏହାର ପ୍ରତିବାଦ କରିବାରୁ ସେମାନେ ସମସ୍ତଙ୍କୁ ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ ଧବଳେଶ୍ୱରଶ୍ଙ୍କ ବାମ ପାଦ ହାଣି ହୋଇଯାଇଥିବା ବେଳେ କୃଷ୍ଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଉଭୟେ ନିକଟସ୍ଥ ମେଡିକାଲ ଷ୍ଟୋରରେ ଔଷଧ କିଣୁଥିବା ବେଳେ ମୁକେଶ ଓ ଅନ୍ୟମାନେ ଏକ କାର ଓ ବାଇକରେ ସେଠାରେ ପହଞ୍ଚତ୍ ଧବଳେଶ୍ୱରଙ୍କୁ ସେଠାରେ ପୁଣି ଥରେ ମାଡ଼ ମାରିବା ସହ ଧମକ ଦେଇ ଚାଲିଯାଇଥିଲେ। ଘଟଣା ପରଦିନ ଧବଳେଶ୍ୱର ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ୪୫୭/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।