ବାଘୁଆ ଜଳଭଣ୍ଡାରରେ ଖୋଲିଲା ୨ ଗେଟ୍, ୪ ବର୍ଷ ପରେ ବଢ଼ି ପାଣି ଦେଖିଲେ ଲୋକେ
ବୁଗୁଡ଼ା,୨୪ା୯(କାଳିଚରଣଦାଶ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମତାଝରିସ୍ଥିତ ବାଘୁଆ ଜଳଭଣ୍ଡାରର ଖୋଲିଲା ଗେଟ୍ । ଜଳସ୍ତରର ବିପଦକୁ ଆଖି ଆଗରେ ରଖି ଜଳ ସେଚନ ବିଭାଗ ବୁଧବାର ଦିନ ମଧ୍ୟରାତ୍ରରୁ ଜଳଭଣ୍ଡାରର ୨ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରି ବାଘୁଆ ନଦୀରେ ଛାଡିଛି । ବାଘୁଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୧୩.୮୫ ମିଟର ଥିବା ବେଳେ ଗଭୀର ପ୍ରଭାବରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଫଳରେ ବାଘୁଆ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଥିଲା। ଏହାକୁ ଆଖି ଆଗରେ ରଖି ବିପଦଜ୍ଜନକ ସ୍ଥିତିକୁ ଏଡ଼ାଇବା ପାଇଁ ଭଞ୍ଜନଗର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଂଜୟ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ରାତ୍ର ୧୧ ଘଣ୍ଟା ସମୟରେ ବାଘୁଆ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବଜୀବନ ମହାପାତ୍ରଙ୍କ ଉପସ୍ଥିତିରେ ବାଘୁଆ ଜଳଭଣ୍ଡାରର ୨ ଟି ସ୍ପିଲ୍ ୱେ ଗେଟ୍ ଖୋଲାଯାଇ ଅତିରିକ୍ତ ବନ୍ୟାଜଳକୁ ନିଷ୍କାସନ କରାଯାଇଥିଲା।
ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୧୧୩.୪୨ ମିଟର ରହିଥିବା ବେଳେ ପ୍ରତି ସେକେଣ୍ଡରେ ୫୭.୫ ଘନ ମିଟର ଜଳ ଜଳଭଣ୍ଡାରରେ ପ୍ରବେଶ କରୁଛି । ଜଳଭଣ୍ଡାରରୁ ୨ ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୬୩ ଘନ ମିଟର ଜଳ ନିଷ୍କାସିତ ହେଉଛି । ପ୍ରକାଶ ଯେ, ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରି ବାଘୁଆ ନଦୀରେ ଛଡାଯିବା ପାଇଁ ପୂର୍ବରୁ
ବିଭାଗୀୟ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ନଦୀକୁ କେହି ନଯିବାକୁ କୁହାଯାଇଥିଲା । ଏହାସହ ଗୃହପାଳିତ ପଶୁମାନଙ୍କୁ ନଦୀକୁ ନଛାଡିବା ସକାଶେ ସତର୍କ ସୂଚନା ଜାରି କରାଯାଇଥିଲା ।
ବଡ କୌତୁହଳର ବିଷୟଯେ, ଦୀର୍ଘ ୪ ବର୍ଷ ହେଲା ଲୋକେ ବାଘୁଆ ନଦୀରେ ବଢି ଦେଖି ନଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରର ଗେଟ ଖୋଲାଯିବା ଯୋଗୁଁ ଲୋକମାନେ ବାଘୁଆ ନଦୀରେ ବଢି ଦେଖି ମଜା ନେଉଥିବା ଦେଖାଦେଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।