ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ
ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି।
ଏନେଇ ମଞ୍ଚ ପକ୍ଷରୁ ବଡ଼ପାଟଣା ସରପଞ୍ଚ ବିନତି ବାନରାଙ୍କ ଜରିଆରେ ଅତିରିକ୍ତ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି। ପ୍ରସ୍ତାବିତ ମଦ ଦୋକାନ ନିକଟରେ ସମବାୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଓ ନର୍ସିଂ କଲେଜ ରହିଛି। ଏହି ରାସ୍ତା ଦେଇ ପ୍ରତିଦିନ ବହୁ ଛାତ୍ରଛାତ୍ରୀଙ୍କ ସମେତ ହଜାର ହଜାର ଲୋକ ଯାତାୟାତ କରୁଥିବାରୁ ଏଠାରେ ମଦ ଦୋକାନ ଖୋଲିଲେ ବଜାର ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ସହ ଅପରାଧ ବୃଦ୍ଧିର ଆଶଙ୍କା ରହିଛି ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।
ପ୍ରଶାସନ ଦାବି ଉପରେ ପଦକ୍ଷେପ ନ ନେଲେ ପାଟଣାବାସୀ ଧାରଣା ଓ ଆନ୍ଦୋଳନ କରିବେ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।
ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମାଜସେବୀ ଇଂ. ବିଦ୍ୟାଧର ଦାଶ, ମଞ୍ଚର ଆବାହକ ବିଜୟ ରତ୍ନ ପତି, ଲକ୍ଷ୍ମୀଧର ପତି, ରବୀନ୍ଦ୍ର କୁମାର ଲୋହାର, ଅଜୟ ପରିଡ଼ା, ପ୍ରକାଶ କୁମାର ସେଠୀ, ସହଦେବ ବେହେରା, ପ୍ରମୋଦ ବେଜ, ଦୀପକ କୁମାର ରାମ, ଯୁଧିଷ୍ଠିର ମହାନ୍ତ, ମଧୂସୁଦନ ମହାନ୍ତ, ସୁବ୍ରତ କୁମାର ଦାଶ, ଏସ.କେ. ମାନସୁର, ଏମ.ଡି. ସାକିଲ, ଏମ.ଡି. ଫିରୋଜଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।