ବାଦ୍‌ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ: ଟିମ ଇଣ୍ଡିଆରେ ୨ଟି ପରିବର୍ତ୍ତନ

Oct 30, 2026 - 12:22
ବାଦ୍‌ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ: ଟିମ ଇଣ୍ଡିଆରେ ୨ଟି ପରିବର୍ତ୍ତନ

ଅକଲାଣ୍ଡ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମୁକାବିଲା ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରୁଛି। ଘରୋଇ ଦଳ ଏହି ମ୍ୟାଚ୍‌ରେ ବଡ଼ ସ୍କୋର କରିବାକୁ ଲକ୍ଷ୍ୟ ରଖିଛି।
ପ୍ରଥମ ତିନୋଟି ମ୍ୟାଚ୍‌ରେ ବିଜୟ ହାସଲ କରି ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି। ଏବେ ନ୍ୟୁଜିଲାଣ୍ଡ ଦଳ ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ଜିତି ସମ୍ମାନ ରକ୍ଷା କରିବାକୁ ଚାହିଁବ। ଭାରତ ପ୍ରଥମ ତିନୋଟି ମ୍ୟାଚ୍‌ରେ ଲକ୍ଷ୍ୟର ପିଛା କରି ବିଜୟୀ ହୋଇଥିଲା।

ଚତୁର୍ଥ ଟି-୨୦ ପାଇଁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର କୁମାର ଓ ବୈଭବ ସୂର୍ଯ୍ୟବଂଶୀ ଏହି ମ୍ୟାଚ୍‌ରେ ଖେଳୁନାହାନ୍ତି। ସେମାନଙ୍କ ସ୍ଥାନରେ ମୟଙ୍କ ଯାଦବ ଓ ଈଶାନ କିଶନଙ୍କୁ ଦଳରେ ସୁଯୋଗ ମିଳିଛି।

ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ୬ ଉଇକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସିରିଜ୍ରେ ଅଜେୟ ଅଗ୍ରଣୀ ହାସଲ କରିଥିଲା। ନ୍ୟୁଜିଲାଣ୍ଡ ଦେଇଥିବା ୧୯୯ ରନ୍‌ର ଲକ୍ଷ୍ୟକୁ ଭାରତ ମାତ୍ର ୧୩.୨ ଓଭରରେ ୪ ଉଇକେଟ ହରାଇ ହାସଲ କରିଥିଲା। ଏହି ବିଜୟର ମୁଖ୍ୟ ନାୟକ ଥିଲେ ଅଭିଷେକ ଶର୍ମା। ସେ ମାତ୍ର ୩୮ଟି ବଲ୍‌ରୁ ୧୧୩ ରନ୍‌ର ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ। ତାଙ୍କୁ ସାଥ ଦେଇ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୯ଟି ବଲ୍‌ରୁ ୪୫ ରନ କରିଥିଲେ।

ଏହାପୂର୍ବରୁ ଦ୍ୱିତୀୟ ଟି-୨୦ରେ ଭାରତ ୪ ଉଇକେଟ୍‌ରେ ବିଜୟୀ ହୋଇଥିବା ବେଳେ ପ୍ରଥମ ମ୍ୟାଚ୍‌ରେ ୨୨୬ ରନ୍‌ର ବଡ଼ ଲକ୍ଷ୍ୟକୁ ସଫଳତାର ସହ ପିଛା କରି ୪ ଉଇକେଟ୍‌ରେ ଜିତିଥିଲା।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।