ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

Sep 21, 2026 - 22:17
ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ବାଇକ ଆରୋହୀ ଦୁଇ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତ ଯୁବକ ଦ୍ୱୟ ହେଲେ କୋଷ୍ଠା ନିକଟ ମହୁଲି ଗ୍ରାମର ରାହୁଲ ନାଏକ ଓ ରାଜୁ ନାଏକ।
ସୂଚନା ଅନୁଯାୟୀ, ଉଭୟ ଚିତାଖଳା ଅଞ୍ଚଳରେ ଚାଲିଥିବା ଏକ ଫୁଟବଲ ଟୁର୍ନାମେଣ୍ଟ ଦେଖିବାକୁ ଯାଇଥିଲେ। ଖେଳ ସାରି ରାତିରେ ଘରକୁ ଫେରୁଥିବା ସମୟରେ ଶୁଳିଆପଦା ଥାନା ଅଧୀନ କାଳିଆଶୋଳ ରାସ୍ତାରେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ସେମାନଙ୍କ ବାଇକକୁ ସମ୍ମୁଖରୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ଘଟଣାସ୍ଥଳରେ ହିଁ ଉଭୟଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଚାଳକ ଗାଡ଼ି ନେଇ ଫେରାର ହୋଇଯାଇଛି।
ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ବାଇକ ଓ ରକ୍ତ ଜୁଡୁବୁଡୁ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ପଠାଇଛି । ଏ ନେଇ ଏକ ମାମଲା ରୁଜୁ କରାଯାଇ ଫେରାର ଗାଡ଼ି ଓ ଡ୍ରାଇଭରକୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।