ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍
ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍ସିଆର ଅଞ୍ଚଳରେ ପୁରୁଣା ଓ ନିର୍ଦ୍ଧାରିତ ପରିବେଶ ମାନଦଣ୍ଡ ପୂରଣ କରୁନଥିବା ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବାକୁ ନୂଆ ବ୍ୟବସ୍ଥା ଲାଗୁ କରାଯିବ । ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ (CAQM)ଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିୟମ ପ୍ରଥମ ପର୍ଯ୍ୟାୟରେ ହରିୟାଣାର ଏନ୍ସିଆର ଅଧୀନ ୪ ଜିଲା—ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝଜ୍ଜରରେ ଲାଗୁ ହେବ।
ନିୟମ ଅନୁଯାୟୀ, ଯେଉଁ ଗାଡ଼ି ପରିବେଶ ସମ୍ପର୍କିତ ମାନଦଣ୍ଡ ପୂରଣ କରୁନାହିଁ କିମ୍ବା ନିର୍ଦ୍ଧାରିତ ବୟସ ସୀମା ପୂରଣ କରିସାରିଛି, ତାହାକୁ ଅକ୍ଟୋବର ୧ରୁ ଏହି ଅଞ୍ଚଳର ପେଟ୍ରୋଲ ପମ୍ପରେ ଇନ୍ଧନ ଦିଆଯିବ ନାହିଁ।ସୁପ୍ରିମକୋର୍ଟ ଓ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (NGT)ର ପୂର୍ବ ନିର୍ଦ୍ଦେଶ ଅନୁସାରେ ସାଧାରଣତଃ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡ଼ି ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡ଼ି ଏହି ଶ୍ରେଣୀରେ ଆସିଥାଏ।
ଏହି ନିୟମକୁ କଡ଼ାକଡ଼ିରେ ଲାଗୁ କରିବା ପାଇଁ ହରିୟାଣା ପରିବହନ ବିଭାଗ ପେଟ୍ରୋଲ ପମ୍ପରେ Automated Number Plate Recognition (ANPR) କ୍ୟାମେରା ଲଗାଇବ । ପ୍ରଥମ ପର୍ଯ୍ୟାୟରେ ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝଜ୍ଜରର ପେଟ୍ରୋଲ ପମ୍ପଗୁଡ଼ିକରେ ପ୍ରାୟ ୭୭୫ଟି ANPR କ୍ୟାମେରା ଲଗାଯିବ । ଏଥିପାଇଁ ପ୍ରାୟ ୪୧.୭୪ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ମିଳିଥିବା ଦିଆଯାଇଥିବା ସୂଚନାରେ କୁହାଯାଇଛି । ପେଟ୍ରୋଲ ପମ୍ପକୁ ଆସୁଥିବା ଗାଡ଼ିର ନମ୍ବର ପ୍ଲେଟ୍ କ୍ୟାମେରା ଦ୍ୱାରା ସ୍କାନ୍ କରାଯିବ । ଯଦି ଗାଡ଼ିଟି ଏଣ୍ଡ୍-ଅଫ୍-ଲାଇଫ୍ ଯାନ ତାଲିକାରେ ଥାଏ, ତେବେ ସିଷ୍ଟମ୍ ପକ୍ଷରୁ ଆଲର୍ଟ ମିଳିବ ଏବଂ ପମ୍ପ କର୍ମଚାରୀ ଇନ୍ଧନ ଦେବାକୁ ମନା କରିପାରିବେ।
ବର୍ତ୍ତମାନ ଏହି ବ୍ୟବସ୍ଥା ହରିୟାଣାର ଏନ୍ସିଆର ଅଧୀନ ୪ଟି ଜିଲାରୁ ଆରମ୍ଭ ହେଉଛି । ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଏହି ବ୍ୟବସ୍ଥା ବିସ୍ତାର କରିବାର ଯୋଜନା ରହିଛି। ଦିଲ୍ଲୀ-ଏନ୍ସିଆର ଅଞ୍ଚଳରେ ବାୟୁ ପ୍ରଦୂଷଣ ଏକ ଦୀର୍ଘଦିନର ସମସ୍ୟା। ପୁରୁଣା ଯାନବାହନରୁ ନିର୍ଗତ ଧୂଆଁକୁ ପ୍ରଦୂଷଣର ଏକ ପ୍ରମୁଖ ଉତ୍ସ ଭାବେ ଧରାଯାଏ । ତେଣୁ ପେଟ୍ରୋଲ ପମ୍ପ ସ୍ତରରେ ଏଭଳି ଯାନକୁ ଚିହ୍ନଟ କରି ଇନ୍ଧନ ଯୋଗାଣ ବନ୍ଦ କରିବା ଦ୍ୱାରା ରାସ୍ତାରେ ପୁରୁଣା ଯାନର ସଂଖ୍ୟା କମାଇବା ଉଦ୍ଦେଶ୍ୟ ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।