ବଡ଼ ଖବର! ଗଣଶିକ୍ଷା ସଚିବଙ୍କ ସୂଚନା, ଦଶମ-ଦ୍ୱାଦଶ ପାଇଁ ହେବ ଗୋଟିଏ ବୋର୍ଡ
ଭୁବନେଶ୍ୱର, ୭।୯: ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ସଚିବ । ଏଣିକି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗୋଟିଏ ବୋର୍ଡ କାର୍ଯ୍ୟ କରିବ । ଏନେଇ ସୂଚନା ଦେଲେ ଗଣଶିକ୍ଷା ସଚିବ ଏନ୍ ତିରୁମାଲା ନାୟକ । ଆଉ ଆଗକୁ BSE ଓ CHSE ଅଲଗା ଅଲଗା ବୋର୍ଡ ରହିବ ନାହିଁ ।
ଗଣଶିକ୍ଷା ସଚିବଙ୍କ କହିବା ଅନୁସାରେ, ଆଗକୁ ମାଧ୍ୟମିକ ଶିକ୍ଷା ପରିଷଦ (BSE) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଅଲଗା ଅଲଗା ବୋର୍ଡ ଭାବେ ରହିବ ନାହିଁ। ଦଶମରୁ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାକୁ ଗୋଟିଏ ବୋର୍ଡ ଅଧୀନକୁ ଆଣିବା ନେଇ ପଦକ୍ଷେପ ନିଆଯିବ।
ଏହି ପରିବର୍ତ୍ତନ ଲାଗୁ ହେଲେ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା, ଶିକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରକ୍ରିୟା ଗୋଟିଏ ବୋର୍ଡ ମାଧ୍ୟମରେ ପରିଚାଳିତ ହେବ। ଏହାଦ୍ୱାରା ଦୁଇଟି ବୋର୍ଡର ପୃଥକ ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରେ।
ବର୍ତ୍ତମାନ BSE ଦଶମ ଶ୍ରେଣୀ ସମେତ ବିଭିନ୍ନ ମାଧ୍ୟମିକ ପରୀକ୍ଷା ପରିଚାଳନା କରୁଥିବାବେଳେ CHSE +2 ଅର୍ଥାତ୍ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଓ ଫଳ ପ୍ରକାଶନ ଭଳି କାର୍ଯ୍ୟ କରୁଛି। ଗୋଟିଏ ବୋର୍ଡ ଗଠନ ହେଲେ ଦଶମରୁ ଦ୍ୱାଦଶ ଯାଏଁ ଶିକ୍ଷା ବ୍ୟବସ୍ଥାରେ ସମନ୍ୱୟ ବଢ଼ିବା ସହ ପରୀକ୍ଷା ପରିଚାଳନା ଓ ପ୍ରଶାସନିକ କାର୍ଯ୍ୟ ସରଳ ହୋଇପାରେ। ତେବେ ଏହି ବ୍ୟବସ୍ଥା କେବେଠାରୁ ଲାଗୁ ହେବ ଏବଂ ନୂଆ ବୋର୍ଡର ଗଠନ କିପରି ହେବ, ସେନେଇ ବିସ୍ତୃତ ସୂଚନା ମିଳିପାରି ନାହିଁ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।