ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

Sep 24, 2026 - 13:25
ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ ବର୍ଷାର ପ୍ରଭାବରେ ଋଷିକୁଲ୍ୟା ନଦୀର ଜଳସ୍ତର ଧୀରେଧୀରେ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କେନ୍ଦ୍ରିୟ ଜଳଆୟୋଗ ବିଭାଗର ରେକର୍ଡ ପ୍ରକାରେ ଗୁରୁବାର ସକାଳ ସୁଦ୍ଧା ୫୦.୨ ମିଲିମିଟର ବର୍ଷା ହୋଇଥିବାବେଳେ ପବନର ବେଗ ମଧ୍ଯ ଘଣ୍ଟାପ୍ରତି ୨.୯୦୪ କିଲୋମିଟର ରହିଥିଲା। ଏଠାରେ ନଦୀଜଳସ୍ତରର ସତର୍କ ସଙ୍କେତ ୧୫.୮୩୫ ମିଟର ଏବଂ ବିପଦ ସଙ୍କେତ ୧୬.୮୩୫ ମିଟର ରହିହିବାବେଳେ ବର୍ତ୍ତମାନ ନଦୀରଜଳସ୍ତର ୧୪.୭୪୦ ମିଟରରେ ପ୍ରବାହିତହେବାରେ ଲାଗିଛି।

ତେବେ ଏଭଳି ଲଗାଣ ବର୍ଷା ଜାରି ରହିଲେ ଜଳସ୍ତର ଆହୁରି ବଢ଼ିବାର ସମ୍ଭାବନା ଥିବାରୁ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି। ତହସିଲଦାର ବିନୋଦ କୁମାର ବେହେରା, ଏନଏସି ନିର୍ବାହୀ ଅଧିକାରୀ ସଂଗୀତା ସେଠୀ ଓ ଅତିରିକ୍ତ ତହସିଲଦାର ଦେବାଶିଷ ମହାପାତ୍ର ନଇକୁଳିଆ ଗ୍ରାମମାନଙ୍କରେ ପହଁଚି ଲୋକଙ୍କୁ ସଚେତନ କରାଇଛନ୍ତି । ବର୍ତ୍ତମାନ ସ୍ଥିତିରେ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶମାନକୁ ମାନିଚଳିବାଲାଗି ଲୋକଙ୍କୁ ପରାମର୍ଶ ଦେବାରେ ଲାଗିଛନ୍ତି।

ଏହାକୁ ନେଇ ତହସିଲଦାର ବିନୋଦକୁମାର ବେହେରା କହିଛନ୍ତିଯେ ପ୍ରଶାସନ ପକ୍ଷରୁ ସମସ୍ତ କର୍ମଚାରୀ ସଜାଗ ରହି ଆବଶ୍ଯକୀୟ ପଲିଥିନମାନ ମହଜୁଦ ରହିଛି । ପ୍ରାଥମିକତା ଭାବରେ ଲୋକଙ୍କୁ ସଚେତନ କରି ସୁରକ୍ଷା ଦିଗରେ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ।

&nbsp

Dharitri – Odisha’s No.1 Odia Daily
;

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।