ବାତ୍ୟା 'ଅର୍ଣ୍ଣବ' ମୁଣ୍ଡଳିରୁ ଗଲେ ୧୧ NDRF ଟିମ
ଭୁବନେଶ୍ୱର : ବାତ୍ୟା ମୁକାବିଲା ପାଇଁ ପୂରା ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା ପ୍ରଶାସନ । ସ୍ଥାୟୀ ଓ ଅସ୍ଥାୟୀକୁ ମିଶାଇ ମୋଟ ୧୧୦୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । 'ଅର୍ଣ୍ଣବ'ର ମୁକାବିଲା ପାଇଁ ମୁଣ୍ଡଳି ସ୍ଥିତ NDRF କ୍ୟାମ୍ପରୁ ୧୧ଟି ଟିମ୍ ବିଭିନ୍ନ ଜିଲ୍ଲା ଅଭିମୁଖେ ଯାତ୍ରା କରିଛନ୍ତି । ଓଡ଼ିଶାର ଉପକୂଳବର୍ତ୍ତୀ ଏବଂ ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଉଦ୍ଧାର ଏବଂ ସହାୟତା କାର୍ଯ୍ୟ ପାଇଁ ଏହି ଟିମ୍ଗୁଡ଼ିକୁ ମୁତୟନ କରାଯାଇଛି ।
ସମସ୍ତ NDRF ଟିମ୍ ଅତ୍ୟାଧୁନିକ ଉଦ୍ଧାର ସରଞ୍ଜାମ, ଗଛ କାଟିବା ମେସିନ୍, ବୋଟ୍ ଏବଂ ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ସହ ସମ୍ପୂର୍ଣ୍ଣ ସଜ୍ଜିତ ହୋଇ ବାହାରିଛନ୍ତି । ରାଜ୍ୟ ସରକାର ଏବଂ ଅଗ୍ନିଶମ ବାହିନୀ ମଧ୍ୟ ଏଥିପାଇଁ ହାଇ-ଆଲର୍ଟରେ ଅଛନ୍ତି ଏବଂ ବିଭିନ୍ନ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଉଛି ।
ସେପଟେ, ଆଜିଠୁ ୩୦ତାରିଖ ଯାଏଁ ଗୋପାଳପୁର ଓ ସୁନପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ସେହିପରି ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଇଛି । ଆନ୍ଧ୍ର ଓ ପାରାଦୀପରୁ ସମୁଦ୍ରକୁ ଆସିଥିବା ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆର୍ଯ୍ୟପଲ୍ଲୀ ଫିସିଂ ହାରବାର ଓ ଗୋପାଳପୁର ପୋର୍ଟରେ ଆଶ୍ରୟ ଦିଆଯାଇଛି । ୩ଟି ଓଡ୍ରାଫ ଟିମ ଜିଲ୍ଲାରେ ପହଞ୍ଚି ସାରିଛନ୍ତି ।
ଅନ୍ୟପଟେ ଗଞ୍ଜାମ ଛତ୍ରପୁର ଆର୍ଯ୍ୟପଲ୍ଲୀ ଜେଟି ପରିଦର୍ଶନ କଲେ କରି ସ୍ଥିତି ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ । ଆନ୍ଧ୍ର ଓ ପାରାଦୀପରୁ ଆସିଥିବା ଟ୍ରଲର ଗୁଡିକୁ କିପରି ସୁରକ୍ଷା ଦିଆଯାଇଛ ? ସେମାନଙ୍କୁ କିପରି ସହଯୋଗ କରାଯାଇଛି ? ସେଗୁଡିକୁ ବୁଲି ଦେଖିବା ସହ ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଜାଲ କୁ ମଧ୍ୟ ଜିଲ୍ଲାପାଳ ବୁଲି ଦେଖୁଛନ୍ତି । ସେହିଭଳି ମତ୍ସ୍ୟଜୀବୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।