ଉବୁଟୁବୁ ଗଞ୍ଜାମ ୪୩ ହଜାର ଲୋକ ପ୍ରଭାବିତ - ରାଜସ୍ବମନ୍ତ୍ରୀ

Oct 30, 2026 - 12:18
ଉବୁଟୁବୁ ଗଞ୍ଜାମ ୪୩ ହଜାର ଲୋକ ପ୍ରଭାବିତ - ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା । ବନ୍ୟା ସ୍ଥିତି ନେଇ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରେସ ମିଟ ।  ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାର ପ୍ରାୟ ୪୨,୫୦୦ ରୁ ୪୩,୦୦୦ ଲୋକ ଏହି ବନ୍ୟା ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ହୋଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଗଞ୍ଜାମ  ଜିଲ୍ଲାର ୨୨ଟି ବ୍ଲକର ପ୍ରାୟ ୨୦୮ଟି ଗ୍ରାମ ପଞ୍ଚାୟତ ଏବଂ ୧୮ଟି ସହରାଞ୍ଚଳର ୫୬ଟି ୱାର୍ଡ ପ୍ରଭାବିତ ହୋଇଛି। ଜିଲ୍ଲାର ପ୍ରାୟ ୨୨ରୁ ଅଧିକ ଗ୍ରାମ ସମ୍ପୂର୍ଣ୍ଣ ରୂପେ ପାଣି ଘେରରେ ରହିଛି, ଯେଉଁଠାରେ ଋଷିକୁଲ୍ୟା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ODRAF, NDRF ଏବଂ ଅଗ୍ନିଶମ ବାହିନୀର ଏକାଧିକ ଟିମ୍ ନିୟୋଜିତ ହୋଇଛନ୍ତି । ହେଲିକପ୍ଟର ଏୟାରଲିଫ୍ଟିଂ ଏବଂ ବୋଟ୍ ଜରିଆରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଉଛି । ପ୍ରଭାବିତଙ୍କ ପାଖରେ ତୁରନ୍ତ ରିଲିଫ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବମନ୍ତ୍ରୀ । ଦୁର୍ଗମ ଅଞ୍ଚଳରେ ଆକାଶ ମାର୍ଗରୁ ରିଲିଫ ଦେବାର ବ୍ୟବସ୍ଥା ହୋଇଛି । ସେହିଭଳି ଜଳବନ୍ଦୀ ଅଞ୍ଚଳରେ ଥିବା ଲୋକମାନଙ୍କ ପାଇଁ ବୋଟ ମାଧ୍ୟମରେ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା ହୋଇଛି । 

ସେପଟେ, କ୍ଷତିଗ୍ରସ୍ତ ରାସ୍ତାକୁ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାଲକାନଗିରି ବଦଳରେ ଗଞ୍ଜାମ ଓ ଗଜପତି ଅଧିକ ପ୍ରଭାବିତ ହୋଇଛି । ହିଞ୍ଜିଳିକାଟୁରେ ୩ଟି ସ୍ଥାନରେ କରାଯିବ ରିଲିଫ ଏୟାର ଡ୍ରପିଂ। ସେହିଭଳି ପୁରୁଷୋତ୍ତମପୁର ଶେରଗଡ଼, ଧରାକୋଟ, ଓ ଆସିକାରେ ହେବ ଏୟାର ଡ୍ରପିଂ । 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।