ବାଲିଅନ୍ତାରେ ପୁଣି ନୃଶଂସ ହତ୍ୟା, ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ

Oct 23, 2026 - 11:38
ବାଲିଅନ୍ତାରେ ପୁଣି ନୃଶଂସ ହତ୍ୟା, ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ

ଭୁବନେଶ୍ୱର : ବାଲିଅନ୍ତା ଲୋମହର୍ଷଣକାରୀ ସୌମ୍ୟରଞ୍ଜନ ଭିଡ଼ ହତ୍ୟା ମନରୁ ନ ଲିଭୁଣୁ ପୁଣି ଘଟିଛି ଆଉ ଏକ ନୃଶଂସ ହତ୍ୟା । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ପାଟଣା ଗାଁରେ  ଯୁବକଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକ ହେଲେ ସ୍ମୃତି ରଞ୍ଜନ ମାର୍ଥା ଓରଫ ରିଙ୍କୁ  ଏହି ବର୍ବରକାଣ୍ଡର ସିସିଟିଭି (CCTV) ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ତେବେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ନେଇ ପ୍ରାଥମିକ ସୂଚନା ମିଳିଛି । ୩ ଦିନ ପୂର୍ବରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି  ।

ସୂଚନାନୁସାରେ, ଗତ ୨୦ ତାରିଖ ଅପରାହ୍ନରେ ବାଲିଅନ୍ତା ଥାନା ଲକ୍ଷ୍ମୀ ଆପାର୍ଟମେଂଟ ସମ୍ମୁଖରେ ରିଙ୍କୁଙ୍କ ସହ ଅନ୍ୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ସେଠାରେ ଦୋକାନ କରିଥିବା ଅଶୋକ ଜେନା ଦୋକାନ ଆଗରେ ପାଟିତୁଣ୍ଡ ନ କରିବାକୁ ସେମାନଙ୍କୁ ତାଗିଦ କରିଥିଲେ ।  ଏହି କଥାକୁ ନେଇ ଅଶୋକ ଏବଂ ସ୍ମୃତିରଂଜନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଯାଇଥିଲା । ଖବର ପାଇ ଅଶୋକଙ୍କ ଦୁଇ ପୁଅ ଅମରେଶ ଓ ଆଶୀଷ ଘଟଣାସ୍ଥଳରେ ପହଂଚି ରିଙ୍କୁଙ୍କୁ ଲୁହ ରଡ୍ରେ ଆକ୍ରମଣ କରିବାରୁ ସେ ତଳେ ପଡିଯାଇଥିଲେ । ତାଙ୍କ ଛାତିରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ୩ ଦିନ କାଳ ଚିକିତ୍ସିତ ହେବା ପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅଭିଯୁକ୍ତ ମହେଶ କୁମାର ରାୟ ବାହାଦୁରକୁ ଗିରଫ କରିଛି ପୋଲିସ । ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିବା ପରେ  ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଏହି ଘଟଣାକୁ ନେଇ ସ୍ଥାନୀୟ ବାଲିଅନ୍ତା ବଜାରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବି କରି ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ବାଲିଅନ୍ତା ଥାନା ଘେରାଉ କରିଛନ୍ତି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।