ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

Sep 29, 2026 - 21:12
ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଯୁବ ସରପଞ୍ଚ ଦୀପକ ପ୍ରଧାନ ଆଗେଇ ଆସିଛନ୍ତି। ମଙ୍ଗଳବାର ସରପଞ୍ଚ ହଠାତ୍ ବିଦ୍ୟାଳୟ ପରିଦର୍ଶନରେ ପହଞ୍ଚି ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିଥିଲେ।

ପରିଦର୍ଶନ ସମୟରେ ବିଦ୍ୟାଳୟଟି ଅତି ପୁରାତନ ହୋଇଥିବା ବେଳେ ଏହାର ଶ୍ରେଣୀକୋଠାଗୁଡ଼ିକ ଭଙ୍ଗାଦଦରା ଅବସ୍ଥାରେ ରହିଥିବା ଏବଂ ମୁଖ୍ୟ ଫାଟକ ନଥିବାରୁ ପରିସରଟି ସମ୍ପୂର୍ଣ୍ଣ ମେଲା ହୋଇ ପଡ଼ିଥିବା ସରପଞ୍ଚ ଦେଖିବାକୁ ପାଇଥିଲେ। ବିଦ୍ୟାଳୟ ପରିସର ମଧ୍ୟରେ କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲ ସହ ଅନ୍ୟ ଏକ ଛାତ୍ରୀନିବାସ ରହିଛି। ଦୁଇଟି ହଷ୍ଟେଲ ଥାଇ ମଧ୍ୟ ମୁଖ୍ୟ ଫାଟକ ନଥିବାରୁ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବୃଦ୍ଧି ପାଇଥିଲା।

ଏହି ସମସ୍ୟାର ଗୁରୁତ୍ୱକୁ ବୁଝି ସରପଞ୍ଚ ଶ୍ରୀ ପ୍ରଧାନ ଚଳିତ ସପ୍ତାହ ମଧ୍ୟରେ ହିଁ ବିଦ୍ୟାଳୟର ହଷ୍ଟେଲ ଏବଂ ମେଲା ଥିବା ଅଞ୍ଚଳରେ ଏକ ନୂତନ ଫାଟକ ନିର୍ମାଣ କରିବା ପାଇଁ ପ୍ରଧାନଶିକ୍ଷୟତ୍ରୀ ଚାରୁଶିଲା ମଲିକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷରେ, ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଏହାକୁ ଖୁବ୍‌ଶୀଘ୍ର ପୂରଣ କରାଯିବ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।