ହତ୍ୟାକାରୀ ଡେଭିଡ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ
ସମ୍ବଲପୁର: ସମ୍ୱଲପୁର ଜିଲା ସଦର ଥାନା ଅନ୍ତର୍ଗତ କବରାପାଲି ଗ୍ରାମର କିଶୋର ମିର୍ଦ୍ଧା (୪୫) ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ଡେଭିଡ ପ୍ରତି ସହାନୁଭୂତି ଦେଖାଉଥିବା ଅଭିଯୋଗ କରି ଗୁରୁବାର କବରାପାଲି ଗ୍ରାମବାସୀ ଥାନା ଘେରାଉ କରିବା ସହ ଅତିରିକ୍ତ ଏସପିଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଡେଭିଡକୁ ପୁଲିସ ଅଟକ ରଖିଥିବା ବେଳେ ତାର ବାପା ଏବଂ ମାମୁଁ ବାରମ୍ୱାର ଥାନାରେ ତାକୁ ଭେଟୁଛନ୍ତି । ଏହା ସହ ପୁଲିସ ତାକୁ ଅଦାଲତକୁ ଚାଲାଣ କରୁ ନ ଥିବା ଯୋଗୁଁ ଗ୍ରାମବାସୀ ଙ୍କ ମନରେ ସନ୍ଦେହ ଜାତ ହୋଇଛି । ପୁଲିସର କାର୍ଯ୍ୟକଳାପ ଏବଂ କବରାପାଲି ଗ୍ରାମରେ ବେଆଇନ ନିଶା କାରବାର ବିରୋଧରେ ସମ୍ୱଲପୁର ଅତିରିକ୍ତ ଏସପି ଶ୍ରୀମନ୍ତ ବାରିକ ଙ୍କୁ ଗ୍ରାମବାସୀ ଭେଟିଥିଲେ । ଅଭିଯୁକ୍ତ ଡେଭିଡ ହତ୍ୟା କରିଥିବା ନେଇ ଦୋଷ ସ୍ୱୀକାର କରିଥିବା ବେଳେ ତାକୁ ଶିଘ୍ର ଅଦାଲତକୁ ଚାଲାଣ କରାଯିବ ବୋଲି ଶ୍ରୀ ବାରିକ କହିଥିଲେ । ଅଭିଯୁକ୍ତ ଡେଭିଡ, ବୁର୍ଲାରେ ଅନେକ ଅପରାଧ କରିବା ପରେ କବରାପାଲିରେ ଆସି ରହିବା ପରେ ଏଠାରେ ମଧ୍ୟ ଚୋରି, ନିଶା କାରବାର ସହ ବାରମ୍ୱାର ଗଣ୍ଡଗୋଳ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ସହ ଗ୍ରାମରେ ଦିନ କୁ ଦିନ ନିଶା କାରବାର ବୃଦ୍ଧି ପାଇବା ଯୋଗୁଁ ଅପରାଧ ମଧ୍ୟ ବଢୁଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗ୍ରାମବାସୀ ଅବକାରୀ ଏସପି ଅଶୋକ ସେଠଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏସପି ଶ୍ରୀ ସେଠ, ଲୋକଙ୍କ ସହଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଗତ ୧୯ ତାରିଖ ସକାଳେ କିଶୋର ମିର୍ଦ୍ଧା ଓ ଡେଭିଡ ଏକ ସ୍କୁଟିରେ ବାହାରିଥିଲେ ମଧ୍ୟ ଘରକୁ ଫେରି ନ ଥିଲେ । ଗତ ୨୨ ତାରିଖ ସକାଳ ସମୟରେ ଶାସନ ଥାନା ଅଧୀନ ଗିରିପାଲି ଗ୍ରାମ ନିକଟସ୍ଥ ମାଲତୀଯୋର ଖଣ୍ଡିରୁ କିଶୋରଙ୍କ ର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ନିଶା କାରବାର ବନ୍ଦ କରିବା ପାଇଁ ପରିବାରବର୍ଗ ଙ୍କ ସହ ଗ୍ରାମର ଶତାଧିକ ଗ୍ରାମବାସୀ ମାନେ ପୁଲିସ ଏବଂ ଅବକାରୀ ବିଭାଗ ନିକଟରେ ଆଜି ଦାବି କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।