05 SEPTEMBER 2026

Welcome!

Unlock your personalized experience.
Sign Up

ବେ-ବନ୍ଦୋବସ୍ତ ମାମଲା ସମାଧାନ ମନ୍ଥର: ଛନ୍ଦି ହୋଇଛି ସାଢ଼େ ୬ ହଜାର ଏକର ଜମି

Sep 04, 2026 - 08:05
ବେ-ବନ୍ଦୋବସ୍ତ ମାମଲା ସମାଧାନ ମନ୍ଥର: ଛନ୍ଦି ହୋଇଛି ସାଢ଼େ ୬ ହଜାର ଏକର ଜମି

ଝାରସୁଗୁଡ଼ା: ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନରେ ବେ-ବନ୍ଦୋବସ୍ତ ଜମି ସଂକ୍ରାନ୍ତ ମାମଲା ଫଇସଲାରେ ମନ୍ଥରତା ଦେଖାଦେଇଛି। ଏହାକୁ ନେଇ ଉତ୍ତରାଞ୍ଚଳ ରାଜସ୍ୱ କମିସନର (ଆର୍‌ଡିସି) ସଂଗ୍ରାମ କେଶରୀ ମହାପାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୨୬ ଜୁନ ୩୦ରେ ଶେଷ ହୋଇଥିବା ତ୍ରୈମାସିକ ସମୀକ୍ଷାରେ ଉତ୍ତରାଞ୍ଚଳରେ ମୋଟ ୯୯୮ଟି ବେ-ବନ୍ଦୋବସ୍ତ ମାମଲା ଫଇସଲା ଅପେକ୍ଷାରେ ରହିଥିବା ଜଣାପଡ଼ିଛି। ଏହି ମାମଲାଗୁଡ଼ିକ ସହ ୬,୪୭୮.୦୪୯ ଏକର ଜମିର ଭବିଷ୍ୟତ ଝୁଲିରହିଛି।

Indrabati Dam: ଇନ୍ଦ୍ରାବତୀ ଗେଟ୍ ଖୋଲିବା ପାଇଁ ମକଡ୍ରିଲ

ବକେୟା ମାମଲା ସଂଖ୍ୟାରେ କେନ୍ଦୁଝରଜିଲ୍ଲା ସର୍ବାଗ୍ରେ ରହିଛି। ଏଠାରେ ୩୧୩ଟି ମାମଲା ରହିଥିବା ବେଳେ ବଲାଙ୍ଗୀରରେ ୨୯୧, ସୁବର୍ଣ୍ଣପୁରରେ ୧୭୧ ଓ ବରଗଡ଼ରେ ୧୪୩ଟି ମାମଲା ବକେୟା ରହିଛି। ସମ୍ବଲପୁରରେ ୩୭, ସୁନ୍ଦରଗଡ଼ରେ ୩୬, ବୌଦ୍ଧରେ ୬ ଓ ଝାରସୁଗୁଡ଼ାରେ ଗୋଟିଏ ମାମଲା ଫଇସଲା ଅପେକ୍ଷାରେ ରହିଛି। ସମୀକ୍ଷା ଅବଧିରେ ବଲାଙ୍ଗୀରର ୨ଟି, ବରଗଡ଼ର ୩ଟି, ଦେବଗଡ଼ର ଗୋଟିଏ, କେନ୍ଦୁଝରର ୧୦ଟି ଏବଂ ସମ୍ବଲପୁରର ଗୋଟିଏ ମାମଲା ଫଇସଲା ହୋଇଛି। ହେଲେ ବୌଦ୍ଧ, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ଏହି ସମୟରେ କୌଣସି ମାମଲା ଫଇସଲା ହୋଇନଥିବା ରିପୋର୍ଟରେ ଦର୍ଶାଯାଇଛି। ବିଶେଷକରି ବଲାଙ୍ଗୀର, ବରଗଡ଼, କେନ୍ଦୁଝର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଶତାଧିକ ମାମଲା ବକେୟା ରହିଛି। ବଲାଙ୍ଗୀରରେ ୨୯୧ଟି ମାମଲା ସହ ୨,୩୧୬.୪୦ ଏକର, ବରଗଡ଼ରେ ୧୪୩ଟି ମାମଲା ସହ ୧,୫୯୯.୧୨ ଏକର, କେନ୍ଦୁଝରରେ ୩୧୩ଟି ମାମଲା ସହ ୪୯୪.୩୧ ଏକର ଏବଂ ସୁବର୍ଣ୍ଣପୁରରେ ୧୭୧ଟି ମାମଲା ସହ ୧,୧୦୫.୯୨ ଏକର ଜମି ଫଇସଲା ଅପେକ୍ଷାରେ ରହିଛି। ବେ-ବନ୍ଦୋବସ୍ତ ଜମିର ରେକର୍ଡ ଅଫ୍ ରାଇଟ୍ସରେ ଥିବା ସ୍ଥିତି ଦୂର କରି ଖଜଣା ବନ୍ଦୋବସ୍ତ କରିବା ପାଇଁ ୨୦୨୫ ଜାନୁଆରି ୧୫ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ବଢ଼ାଇଥିଲା।

Horoscope 2026 September 04: ଜାଣନ୍ତୁ ଆଜିର ରାଶିଫଳ...

ଏହା ସତ୍ତ୍ୱେ ମାମଲା ଫଇସଲାରେ ଆଶାନୁରୂପ ଅଗ୍ରଗତି ନ ହେବା ନେଇ ରାଜସ୍ବ ଆୟୁକ୍ତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବକେୟା ମାମଲାର ନିୟମିତ ସମୀକ୍ଷା କରି ତ୍ୱରିତ ଫଇସଲା କରିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ପ୍ରଭାବୀ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିସହ ତ୍ରୈମାସିକ ପ୍ରଗତି ରିପୋର୍ଟ ମଧ୍ୟ ସମୟାନୁସାରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶଥାଉକି, ବର୍ତ୍ତମାନ ରାଜ୍ୟରେ ଭିତ୍ତିଭୂମି ବିକାଶ ନେଇ ଘନଘନ ବୈଠକ ସହ ଖସଡ଼ା ପ୍ରସ୍ତୁତ ହେଉଛି। ଏଥିପାଇଁ ହଜାର ହଜାର କୋଟି ଟଙ୍କାର ଅର୍ଥ ବି ମଞ୍ଜୁର ହେଉଛି। ଏଭଳି ସ୍ଥିତିରେ ସାଢ଼େ ୬ ହଜାର ଏକର ଜମି ପଡ଼ିରହିବା ନିହାତି ଭାବେ ରାଜସ୍ବ ବିଭାଗର ଚିନ୍ତା ବଢ଼ାଇ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।