ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରାକ ନିର୍ବାଚନୀ ହିଂସା

Oct 08, 2026 - 13:03
ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରାକ ନିର୍ବାଚନୀ ହିଂସା

ଯାଜପୁର : ଯାଜପୁର ରୋଡ୍ ସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବୋମାମାଡ଼ ହେବା ଫଳରେ ପ୍ରାକ ନିର୍ବାଚନୀ ହିଂସା ଦେଖାଦେଇଛି। ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର ଗୋଟିଏ ଦିନ ପରେ, ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କଲେଜ ପରିସରକୁ ଆସି ବୋମାମାଡ଼ କରିଥିଲେ। କଲେଜ କାଉନସିଲ ନିର୍ବାଚନକୁ ନେଇ ପରିସ୍ଥିତି ଅଶାନ୍ତ ହୋଇପଡ଼ିଛି । କ୍ୟାମ୍ପସରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଘଟି ଏକାଧିକ ସ୍ଥାନରେ ଦୁର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି । ବିଶେଷକରି ମହାବିଦ୍ୟାଳୟର ଇନ୍ଦ୍ରଧନୁ ବଏଜ୍ ହଷ୍ଟେଲ୍ ଏବଂ କଲେଜ ପ୍ରିନ୍ସପାଲଙ୍କ ପ୍ରକୋଷ୍ଠକୁ ଟାର୍ଗେଟ୍ କରି ବୋମାମାଡ଼ କରାଯାଇଛି ।ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । 

ବିସ୍ଫୋରଣ ଶବ୍ଦରେ କଲେଜ କ୍ୟାମ୍ପସ ଥରି ଉଠିଥିଲା । ଘଟଣାସ୍ଥଳର କଲେଜ ଗେଷ୍ଟହାଉସ ଏବଂ ପ୍ରିନ୍ସିପାଲଙ୍କ ବାସଭବନ ଫାଟକ ନିକଟରୁ କିଛି ଅଫୁଟା ବୋମା ମଧ୍ୟ ଜବତ କରାଯାଇଛି । 

ଏଭଳି ସମ୍ବେଦନଶୀଳ ଘଟଣା ପରେ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରି ଯାଜପୁର ରୋଡ଼ ଆଦର୍ଶ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଯାଜପୁର ରୋଡ୍ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କଲେଜ ପରିସରରେ ସନ୍ଧାନୀ କୁକୁର ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ଜୋରଦାର ଯାଞ୍ଚ କରାଯାଉଛି। ପୋଲିସ କଲେଜ ପରିସରରୁ କିଛି ଜୀବନ୍ତ ବୋମା ମଧ୍ୟ ଜବତ କରିଛି । 

ସେପଟେ, ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ ତ୍ରିପାଠୀ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।