ଏସସିବି ମେଡିକାଲ ରେ ମାନସିକ ରୋଗୀଙ୍କୁ ପିଟି ପିଟି ହତ୍ୟା - ରିପୋର୍ଟ
କଟକ: ଏସସିବି ମେଡିକାଲରେ ରୋଗୀଙ୍କୁ ପିଟିପିଟି ହତ୍ୟା । ଆସିଲା ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ମାନସିକ ରୋଗ ବିଭାଗରେ ଚିକିତ୍ସାଧିନ ଥିବା ଯାଜପୁର ଅଞ୍ଚଳର ଶ୍ରୀକାନ୍ତ ଦାସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବୁଧବାର ଆସିଛି। ଅତ୍ୟଧିକ ମାଡ଼ ମରାଯାଇଥିବାରୁ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ତଥ୍ୟ ପାଇବା ପରେ ପୁଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି। ହସ୍ପିଟାଲ କର୍ମଚାରୀ ୱାର୍ଡ ଆଟେଣ୍ଡାଣ୍ଟ ଏବଂ କିଛି ସୁରକ୍ଷା କର୍ମୀ ସଂଘବଦ୍ଧ ଭାବେ ମାଡ଼ ମାରି ଅତି ନିର୍ମମ ଭାବେ ହତ୍ୟା କରିଥିବା ନେଇ ମଙ୍ଗଳାବାଗ ଥାନାରେ ଏତଲା ହୋଇଥିଲା । ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତକଙ୍କ ଶରୀରରେ ଏକାଧିକ ଗଭୀର କ୍ଷତ ଓ ମାଡ଼ର ଦାଗ ଚିହ୍ନଟ ହୋଇଥିବାବେଳେ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ଯାଜପୁର ରୋଡ ଅଞ୍ଚଳର ଶ୍ରୀକାନ୍ତ ଦାସ ମାନସିକ ରୋଗରେ ପୀଡ଼ିତ ଥିଲେ । ଗତ ୨୮ରେ ତାଙ୍କୁ ଏସସିବି ମେଡିକାଲର ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଥିଲା। ୨୯ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଶରୀରରେ ମାଡ଼ ଦାଗ ଦେଖି ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ରୀକାନ୍ତଙ୍କର ହୃଦରୋଗ ଥିବା କଥା ମଧ୍ୟ ସ୍ପଷ୍ଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର ଭିସେରା ରିପୋର୍ଟ ମିଳିପାରି ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।