ପୂଜା ପେଣ୍ଡାଲ ର ଗ୍ରାଉଣ୍ଡ ରେଣ୍ଟ ଛାଡ଼ କଲେ ମୁଖ୍ୟମନ୍ତ୍ରୀ

Oct 08, 2026 - 13:03
ପୂଜା ପେଣ୍ଡାଲ ର ଗ୍ରାଉଣ୍ଡ ରେଣ୍ଟ ଛାଡ଼ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୂଜା କମିଟି ଗୁଡ଼ିକ ପାଇଁ ବଡ଼ ଭେଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ପୂଜା ମଣ୍ଡପ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦେବାକୁ ପଡ଼ୁଥିବା ଗ୍ରାଉଣ୍ଡ ରେଣ୍ଟ (ପଡ଼ିଆ ଭଡ଼ା)କୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜଧାନୀରେ ଆୟୋଜିତ ହେବାକୁ ଥିବା ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଏବଂ କାଳୀପୂଜା ପାଇଁ ପୂଜା କମିଟିଗୁଡ଼ିକୁ ଆଉ ଗ୍ରାଉଣ୍ଡ ରେଣ୍ଟ ଦେବାକୁ ପଡ଼ିବ ନାହିଁ । ଏହି ଗ୍ରାଉଣ୍ଡ ରେଣ୍ଟ ଛାଡ଼ ଅବଧି ଆସନ୍ତା ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସାଧାରଣତଃ ପୂଜା କମିଟିଗୁଡ଼ିକୁ ମଣ୍ଡପ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ୧୦,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରାଉଣ୍ଡ ରେଣ୍ଟ ଦେବାକୁ ପଡ଼ିଥାଏ, ଯାହା ଏବେ ଦେବାକୁ ପଡ଼ିବ ନାହିଁ ।

ପାର୍ବଣ ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂଜା ପାଳନକୁ ଅଧିକ ଧୂମ୍‌ଧାମ୍‌ରେ ପାଳନ କରିବା ପାଇଁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ପ୍ରଶଂସନୀୟ ପଦକ୍ଷେପକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଧୁବାଦ ଜଣାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।