ଭାରତଠାରୁ କିଛି ଶିଖ! ପାକିସ୍ତାନ ଖେଳାଳିଙ୍କୁ ଉପଦେଶ ଦେଲେ କୋଚ

Sep 25, 2026 - 09:19
ଭାରତଠାରୁ କିଛି ଶିଖ! ପାକିସ୍ତାନ ଖେଳାଳିଙ୍କୁ ଉପଦେଶ ଦେଲେ କୋଚ

ନୂଆଦିଲ୍ଲୀ,୨୫।୯: ପାକିସ୍ତାନ କ୍ରିକେଟ ଟିମ୍‌ର ଖରାପ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ଦଳର ହେଡ କୋଚ ମାଇକ ହେସନ ଭାରତକୁ ନେଇ ଦେଇଛନ୍ତି ବଡ଼ ବୟାନ। ବର୍ତ୍ତମାନ ହ୍ବାଇଟ-ବଲ କ୍ରିକେଟ୍ରେ ଭାରତ ଏକ ମାନଦଣ୍ଡ ସ୍ଥାପନ କରିଛି। ଭାରତ ସ୍ତରରେ ପହଞ୍ଚିବା ପାକିସ୍ତାନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ହେସନ କହିଛନ୍ତି।
ନିକଟରେ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ର ଟେଷ୍ଟ ସିରିଜକୁ ପାକିସ୍ତାନ ୦-୩ରେ ହାରିଥିଲା। ଏହା ପରେ ଦଳର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଛି। ଏହି ସମୟରେ ହେସନଙ୍କ ବୟାନ ପାକିସ୍ତାନ କ୍ରିକେଟ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି।

କରାଚିରେ ପାକିସ୍ତାନ ଟିମ୍‌ର କ୍ୟାମ୍ପ ସମୟରେ ହେସନ କହିଛନ୍ତି, ଏହି ସମୟରେ ହ୍ବାଇଟ-ବଲ କ୍ରିକେଟ୍‌ରେ ଭାରତ ମାନଦଣ୍ଡ ସ୍ଥାପନ କରିଛି। ମୋତେ ଲାଗୁଛି, ପାକିସ୍ତାନ ପାଇଁ ଚ୍ୟାଲେଞ୍ଜ ହେଉଛି ହ୍ବାଇଟ-ବଲ କ୍ରିକେଟ୍‌ରେ ଭାରତର ସ୍ତରରେ ପହଞ୍ଚିବା। ଆମ ଦଳ ସର୍ବଶ୍ରେଷ୍ଠ ପ୍ରସ୍ତୁତି କରୁଛି। ଯଦି ଭାରତ ବିପକ୍ଷରେ ଖେଳିବାର ସୁଯୋଗ ମିଳେ, ତେବେ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ପାକିସ୍ତାନ ଚେଷ୍ଟା କରିବ ବୋଲି ସେ କହିଛନ୍ତି।

୨୦୨୬ ଏସିଆନ ଗେମ୍ସର ପୁରୁଷ କ୍ରିକେଟ ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ଅଲଗା ଗ୍ରୁପ୍‌ରେ ରହିଛନ୍ତି। ଉଭୟ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରୁ ଟୁର୍ନାମେଣ୍ଟରେ ପ୍ରବେଶ କରିବେ। ତେଣୁ ଉଭୟ ଦଳ ନିଜ ନିଜ ମ୍ୟାଚ୍‌ରେ ସଫଳ ହୋଇ ଆଗକୁ ବଢ଼ିଲେ ହିଁ ଭାରତ-ପାକିସ୍ତାନ ମୁକାବିଲାର ସମ୍ଭାବନା ରହିବ। ଦୁଇ ଦଳ ଫାଇନାଲ କିମ୍ବା ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ପହଞ୍ଚିଲେ ପରସ୍ପରକୁ ଭେଟିପାରନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।