ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

Sep 25, 2026 - 09:41
ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ଦାରିଙ୍ଗବାଡ଼ି ବ୍ଲକ ସମେତ କନ୍ଧମାଳ ଜିଲାର ଅନ୍ୟ ୩ଟି ବ୍ଲକଜି. ଉଦୟଗିରି, ଟିକାବାଲି ଓ ଚକାପାଦର ସମସ୍ତ ବିଦ୍ୟାଳୟକୁ ଜିଲାପାଳ ବେଦ ଭୂଷଣ ଛୁଟି ଘୋଷଣା କରିଛନ୍ତି। ବର୍ଷାଜନିତ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଆଶ୍ୱସ୍ତ ହୋଇଛନ୍ତି।

ଲଗାଣ ବର୍ଷା ମଧ୍ୟରେ ଦାରିଙ୍ଗବାଡ଼ି ଅଞ୍ଚଳରେ ବିଦ୍ୟୁତ ସେବା ମଧ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗତ ୩ ଦିନ ହେଲା ବିଦ୍ୟୁତ ସେବା ଅନିୟମିତ ରହିଥିବା ବେଳେ ଗୁରୁବାର ସନ୍ଧ୍ୟାରେ କିଛି ସମୟ ପାଇଁ ବିଦ୍ୟୁତ ସେବା ସ୍ବାଭାବିକ ହୋଇଥିଲା। ତେବେ ପୁଣି ବିଳମ୍ବିତ ରାତିରୁ ବିଦ୍ୟୁତ ସେବା ଅଚଳ ହୋଇପଡ଼ିଥିବା ଜଣାପଡ଼ିଛି। ବିଭାଗୀୟ ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କ ସୂଚନା ଅନୁସାରେ, ଭଞ୍ଜନଗରରୁ କନ୍ଧମାଳ ଜିଲ୍ଲାକୁ ଆସୁଥିବା ୧୩୨ କେଭି ବିଦ୍ୟୁତ ସଂଯୋଗରେ ବାଧା ସୃଷ୍ଟି ହୋଇଛି। ଫଳରେ ଜିଲ୍ଲାର ଅନେକ ଅଞ୍ଚଳ ଅନ୍ଧାରରେ ରହିଛି।

ଲଗାଣ ବର୍ଷା ଯୋଗୁ ଗୋପାଳପୁର-ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ରାସ୍ତାକୁ ସିଲ କରିଦିଆଯାଇଛି। ଫଳରେ ବାଲିଗୁଡ଼ାରୁ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର, ସୋରଡ଼ା ଓ ଭଞ୍ଜନଗର ଆଦି ଅଞ୍ଚଳକୁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ଏହାର ପ୍ରଭାବ ସିଧାସଳଖ ଭାବେ ଦାରିଙ୍ଗବାଡ଼ିର ଦୈନନ୍ଦିନ ଜୀବନ ଉପରେ ପଡ଼ିଛି। ଗଞ୍ଜାମ ଜିଲାର ସୋରଡ଼ା ଓ କାଟୁ ଅଞ୍ଚଳରୁ ଦାରିଙ୍ଗବାଡ଼ିକୁ ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଆସିବା ବନ୍ଦ ହୋଇଯାଇଥିବାରୁ ସ୍ଥାନୀୟ ଖାଉଟିମାନେ ହଇରାଣ ହେଉଛନ୍ତି।

ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ବ୍ଲକର ଏକାଧିକ ଗ୍ରାମରେ କିଛି ଲୋକଙ୍କ ଝାଟିମାଟି ଘର ଭାଙ୍ଗିଯାଇଥିବା ମଧ୍ୟ ଜଣାପଡ଼ିଛି। ଫଳରେ ପ୍ରଭାବିତ ପରିବାରଗୁଡ଼ିକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲଗାଣ ବର୍ଷା ଓ ବିଦ୍ୟୁତ ବିଭ୍ରାଟ ସହ ରାସ୍ତାଘାଟ ବନ୍ଦ ହୋଇଥିବାରୁ ଦାରିଙ୍ଗବାଡ଼ି ଅଞ୍ଚଳରେ ଏବେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।