ଭାରତରେ ନିଷିଦ୍ଧ ହେବ ମାରାତ୍ମକ ତୃଣନାଶକ ପାରାକ୍ୱାଟ୍‌

Jul 15, 2026 - 13:27
ଭାରତରେ ନିଷିଦ୍ଧ ହେବ ମାରାତ୍ମକ ତୃଣନାଶକ ପାରାକ୍ୱାଟ୍‌

ନୂଆଦିଲ୍ଲୀ: ଦେଶର କୃଷି କ୍ଷେତ୍ରରେ ବହୁ ବର୍ଷ ଧରି ବ୍ୟବହୃତ ହୋଇଆସୁଥିବା ଅତ୍ୟନ୍ତ ବିଷାକ୍ତ ତୃଣନାଶକ ‘ପାରାକ୍ୱାଟ୍‌ ଡାଇକ୍ଲୋରାଇଡ୍‌’ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ମଙ୍ଗଳବାର ଜନସାଧାରଣଙ୍କ ମତାମତ ପାଇଁ ଏକ ଚିଠା ବିଜ୍ଞପ୍ତି ଜାରି କରିବା ସହ ପାରାକ୍ୱାଟ୍‌ର ଆମଦାନି, ଉତ୍ପାଦନ, ବିକ୍ରି, ପରିବହନ, ବିତରଣ ଓ ବ୍ୟବହାରକୁ ନିଷିଦ୍ଧ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଚୂଡ଼ାନ୍ତ ହେଲେ ଭାରତ ମଧ୍ୟ ଏହି ମାରାତ୍ମକ ରାସାୟନିକକୁ ନିଷିଦ୍ଧ କରିଥିବା ଦେଶଗୁଡ଼ିକ ତାଲିକାରେ ସାମିଲ ହେବ। ପାରାକ୍ୱାଟ୍‌କୁ ବିଶ୍ୱର ସବୁଠାରୁ ବିପଜ୍ଜନକ ତୃଣନାଶକ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଅଳ୍ପ ପରିମାଣ ଶରୀରକୁ ଯାଇଥିଲେ ମଧ୍ୟ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ। ଏହାର କୌଣସି ନିର୍ଦ୍ଦିଷ୍ଟ ପ୍ରତିଷେଧକ ଔଷଧ ନାହିଁ। ଏହି ରାସାୟନିକ ଫୁସ୍‌ଫୁସକୁ ସ୍ଥାୟୀ କ୍ଷତି ପହଞ୍ଚାଇବା ସହ କିଡ୍‌ନି, ଯକୃତ, ଚର୍ମ ଓ ଆଖିର ମଧ୍ୟ ଗୁରୁତର କ୍ଷତି କରିଥାଏ। ବର୍ତ୍ତମାନ ଏହାର ଚିକିତ୍ସା କେବଳ ଲକ୍ଷଣ ଆଧାରିତ ହୋଇଥିବାରୁ ବିଷକ୍ରିୟା ଘଟିଲେ ମୃତ୍ୟୁ ଆଶଙ୍କା ବହୁତ ଅଧିକ ରହିଥାଏ। ଏହି ତୃଣନାଶକ ବ୍ୟବହାର କରୁଥିବା ଚାଷୀ ଓ କୃଷି ଶ୍ରମିକମାନେ ମଧ୍ୟ ଅଧିକ ବିପଦରେ ରହିଥାନ୍ତି। ଭୁଲ୍‌ବଶତଃ ଏହା ଶରୀରକୁ ପ୍ରବେଶ କରିବା, ସ୍ପ୍ରେ ସମୟରେ ରାସାୟନିକ କଣିକା ଶ୍ୱାସ ସହ ଶରୀରକୁ ଯିବା କିମ୍ବା କ୍ଷତସ୍ଥାନରେ ଏହା ଲାଗିବା ଫଳରେ ଗୁରୁତର ବିଷକ୍ରିୟା ହୋଇପାରେ। ଏହି କାରଣରୁ ୟୁରୋପୀୟ ସଂଘ, ବ୍ରିଟିସ, ସ୍ୱିଜରଲ୍ୟାଣ୍ଡ ଓ ଚୀନ୍‌ ସମେତ ୭୦ରୁ ଅଧିକ ଦେଶ ଏହାକୁ ନିଷିଦ୍ଧ କରିସାରିଛନ୍ତି। ବିଡ଼ମ୍ବନାର ବିଷୟ ହେଲା, ଯେଉଁ ଦେଶରେ ଏହାର ଉଦ୍ଭାବନ ହୋଇଥିଲା ଓ ଉତ୍ପାଦନ ହେଉଛି, ସେଠାରେ ମଧ୍ୟ ଏହାର ବ୍ୟବହାର ଉପରେ କଟକଣା ରହିଛି। କିନ୍ତୁ ଭାରତରେ ଏହା ଏଯାବତ ନିଷିଦ୍ଧ କରାଯାଇନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।