ଟ୍ରେଣ୍ଡରେ କାଜିଆ
କେବଳ ୧୯ ବର୍ଷ ବୟସରେ ନିଜ ଆତ୍ମବିଶ୍ୱାସ, ମେଧା ଓ ସାଧନା ବଳରେ ସମଗ୍ର ଦେଶରେ ଗୌରବ ଆଣିଦେଇଛନ୍ତି କେରଳର କାଜିଆ ଲିଜ୍ ମେଜୋ । ସମ୍ପ୍ରତି ଜୟପୁରରେ ଅନୁଷ୍ଠିତ ହୋଇଥିବା ଭବ୍ୟ ଆୟୋଜନରେ ୫୨ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ 'ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬'ର ମୁକୁଟ ନିଜ ନାମରେ କରିଛନ୍ତି ।
କେରଳର ଆଲାପ୍ପୁଜା ଜିଲ୍ଲା ଅନ୍ତର୍ଗତ ମାବେଲିକ୍କାରାରେ ଜନ୍ମଗ୍ରହଣ କରିଥିବା କାଜିଆଙ୍କ ପିଲାଦିନ ପ୍ରାୟତଃ ୟୁଏଇ (ଆବୁଧାବି)ରେ ବିତିଥିଲା । ଯେଉଁଠାରେ ସେ ବିଭିନ୍ନ ବହୁସାଂସ୍କୃତିକ ପରିବେଶରେ ବଢ଼ିବା ସହ ନିଜ ଆତ୍ମବିଶ୍ୱାସ ଓ କଥାବାର୍ତ୍ତାର ଶୈଳୀକୁ ଦୃଢ଼ କରିପାରିଥିଲେ। ଜଣେ ଆଇନ୍ର ଛାତ୍ରୀ ହେବା ସହିତ ସେ ୧୨ ବର୍ଷ ଧରି ଶାସ୍ତ୍ରୀୟ ନୃତ୍ୟର ତାଲିମ୍ ନେଇଛନ୍ତି । ଏହାସହ ସଙ୍ଗୀତ ଗାୟିକା, ଡ୍ରମ୍ସ ଓ ଭାୟୋଲିନ୍ ବଜାଇବାରେ ମଧ୍ୟ ନିପୁଣା ଅଟନ୍ତି । ସେ ମାଲାୟାଲମ୍ ଚଳଚ୍ଚିତ୍ର 'ସାଇଲକ୍' ମାଧ୍ୟମରେ ଅଭିନୟ ଜଗତରେ ମଧ୍ୟ ପାଦ ଥାପିସାରିଛନ୍ତି । ତେବେ ଏହି ସଫଳତା ପଛରେ ରହିଛି ତାଙ୍କର ଦୀର୍ଘ ଦିନର କଠିନ ସଂଘର୍ଷ । ନିଜ ଚେହେରା, ଶାରୀରିକ ସୌନ୍ଦର୍ଯ୍ୟ ଓ ଆତ୍ମବିଶ୍ୱାସକୁ ନେଇ ପ୍ରାରମ୍ଭିକ ଦିନରେ ଅନେକ ଦ୍ୱନ୍ଦ୍ୱ ଓ ଆଶଙ୍କାର ସାମ୍ନା କରିଥିବା କାଜିଆ, ସମସ୍ତ ପ୍ରତିବନ୍ଧକକୁ ନିଜର ଶକ୍ତିରେ ପରିଣତ କରିଥିଲେ । ସେ ବିଶ୍ୱାସ କରନ୍ତି ଯେ ପ୍ରକୃତ ସୌନ୍ଦର୍ଯ୍ୟ କେବଳ ବାହ୍ୟ ରୂପରେ ନୁହେଁ, ବରଂ ନିଜର ଦୃଢ଼ ଇଚ୍ଛାଶକ୍ତି, ସାହସ ଏବଂ ବାରମ୍ବାର ବିଫଳତା ପରେ ମଧ୍ୟ ପୁନର୍ବାର ସଫଳତା ପାଇଁ କାର୍ଯ୍ୟ କରିବାର ମାନସିକତାରେ ରହିଛି। ତାଙ୍କର ଏହି ନିରବଚ୍ଛିନ୍ନ ନିଷ୍ଠା ଓ ବ୍ୟକ୍ତିତ୍ୱ ହିଁ ତାଙ୍କୁ ଜାତୀୟ ମଞ୍ଚରେ ଶ୍ରେଷ୍ଠତା ପ୍ରଦାନ କରିଛି । ମିସ୍ ୟୁନିଭର୍ସ ଇଣ୍ଡିଆ ମୁକୁଟ ଜିତିବା ପରେ ଏବେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବା । ଶିକ୍ଷା, କଳା ଏବଂ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କାଜିଆ ଲିଜ୍ ମେଜୋଙ୍କ ଏହି ଅଭୂତପୂର୍ବ ଯାତ୍ରା ସମଗ୍ର ଯୁବପିଢ଼ି ପାଇଁ ଏକ ଅପୂର୍ବ ପ୍ରେରଣାର ଉତ୍ସ ପାଲଟିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।