ମାଲକାନଗିରିରେ ପୁଣି ଭୂସ୍ଖଳନ
ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ଅଞ୍ଚଳରେ ପୁଣି ଭୂସ୍ଖଳନ । ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ୍ ଅନ୍ତର୍ଗତ ନାୟକଗୁଡ଼ାରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି । ଆଜି ସକାଳେ ନାଏକଗୁଡ଼ା ପଂଚାୟତ ଖୁରୀ ପାହାଡ଼ରୁ ଏକ ବିରାଟ ପଥର ଓ ମାଟି ଅତଡ଼ା ହଠାତ୍ ତଳକୁ ଧସି ଆସିଥିଲା । ଏହି ପଥରଟି ସିଧା ଗାଁ ମୁଣ୍ଡ ଆଡ଼କୁ ମାଡ଼ି ଆସିବାରୁ ସ୍ଥାନୀୟ ପୁରୀଗୁଡ଼ା ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଆତଙ୍କ ଖେଳିଯାଇଥିଲା ।
ସୌଭାଗ୍ୟବଶତଃ ଗାଁ ଭିତରକୁ ପଶିବା ପୂର୍ବରୁ ପଥରଟି ଅଟକି ଯାଇଥିଲା, ଯାହାଫଳରେ ଏକ ବଡ଼ ବିପତ୍ତିରୁ ପୂରା ଗାଁ ଅଳ୍ପକେ ବର୍ତ୍ତିଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ ହାନି ହୋଇନଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ପରେ ପାହାଡ଼ରୁ ବିରାଟ ପଥର ଖସିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଶଙ୍କା ସୃଷ୍ଟି କରିଛି । ପଥରଟି ଗାଁ ଆଡ଼କୁ ଖସିଥିବାରୁ ପୁରୀଗୁଡ଼ା ଗାଁ ପ୍ରତି ବିପଦ ଆଶଙ୍କା ଦେଖାଦେଇଥିଲା । ତେବେ ଗାଁଟି ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛି ।
ଲଗାଣ ବର୍ଷା ଯୋଗୁଁ ପାହାଡ଼ ମାଟି ଓ ପଥର ଦୁର୍ବଳ ହୋଇ ଏପରି ଭୂସ୍ଖଳନ ଘଟିଥିବା ଆଶଙ୍କା କରାଯାଉଛି । ଅଞ୍ଚଳରେ ପୁନର୍ବାର ଏଭଳି ଘଟଣା ଘଟିବାର ଆଶଙ୍କା ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।