ଘର ପଛପଟୁ ଯୁବକଙ୍କ ବିଭତ୍ସ ମୃତଦେହ ଉଦ୍ଧାର
ଖୋର୍ଦ୍ଧା : ବୋଲଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କ ଗୋଡ଼ ଦୁଇଟିକୁ କାଟି ଦିଆଯାଇଥିବାବେଳେ ବେକରେ ତାର ଗୁଡ଼ାଇ ହତ୍ୟା କରାଯାଇଥିବା ଦେଖାଯାଇଛି । ମୃତକ ହେଲେ ବୋଲଗଡ଼ ଗ୍ରାମର ଗଡ଼ ଭିତର ଦଳବେହେରା ସାହିର ସ୍ୱର୍ଗତ ମାୟାଧର ଦଳବେହେରାଙ୍କ ଏକ ମାତ୍ର ପୁଅ କେଦାର ପଶ୍ଚିମକବାଟ ଓରଫ ବଗୁଲା । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ହତ୍ୟାକାଣ୍ଡର ଖବର ପାଇ ଘଟଣାସ୍ଥଳରେ ବୋଲଗଡ଼ ପୋଲିସ ଏବଂ ଖୋର୍ଦ୍ଧା ଏସ ପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାନୁସାରେ, ଗତକାଲି ରାତିରେ ବଗୁଲାଙ୍କୁ ତାଙ୍କ ମେଡିକାଲ ସ୍ଥିତ ଥିବା ଚାହା ଦୋକାନରୁ କିଛି ଜଣ ଡାକି ନେଇଥିଲେ । ଏହା ପରେ ରାତି ପ୍ରାୟ ୯ଟା ସମୟରେ ,ବଗୁଲାଙ୍କ ନିଜ ଘର ବାରିପଟ ଚାନ୍ଦିନୀ ଉପରେ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବାର ଦେଖା ଯାଇଥିଲା । ତାଙ୍କ ଗୋଡ଼ ଦୁଇଟିକୁ ଏକ କାଠ କଟା ଯନ୍ତ୍ର ଚାଳିତ କଟର ମେସିନ୍ ରେ ବିଭତ୍ସ ଭାବେ କଟା ଯାଇଥିବାବେଳେ, ତାଙ୍କ ବେକକୁ ବିଦ୍ୟୁତ୍ ତାର ଦ୍ୱାରା ଚିପି ହତ୍ୟା କରାଯାଇଥିବା ଦେଖିବାକୁ ମିଳି ଥିଲା । ସେଠାରୁ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ଏହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଏକ ଇଲେକ୍ଟ୍ରି କଟର ମେସିନ ଏବଂ ଦୁଇଟି ଆଶା ବାଡ଼ି ପଡ଼ିଛି ।
ଆଜି ତାଙ୍କ ମୃତଦେହ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ ହେବା ସହ ଘଟଣାସ୍ଥଳରେ ସାଇଣ୍ଟିଫିକ ସହାୟତାରେ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ ଡି ପି ଓ ପଙ୍କଜ ମାଝୀ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।