ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ
ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି। ପ୍ରତିନିଧି ଦଳ ଉଭୟଙ୍କ ଶୁଦ୍ଧି କ୍ରିୟା ପାଇଁ ସହାୟତା ରାଶି ଘୋଷଣା କରିଥିଲେ।
ମିଳିଥିବା ସୂଚନା ମୁତାବକ, ଗତ ୧୯ତାରିଖରେ ଓଡ଼ିଶା ରାଜ୍ୟସ୍ତରୀୟ ଗଣ୍ଡ ସମାଜର ନୂଆଁଖାଇ ଭେଟ୍ଘାଟ୍ ବରଗଡ଼ ଜିଲା ପାଇକମାଲର ନୃସିଂହ ନାଥ ପୀଠରେ ହୋଇଥିଲା। ତୁମୁଡିବନ୍ଧ ବ୍ଲକର ଗଣ୍ଡ ସମାଜର ନେତୃବୃନ୍ଦ ସହିତ ଲଙ୍କାଗଡ଼ ପଞ୍ଚୟତର ବାରିଙ୍ଗିଲି ଗ୍ରାମର ଶୁକଦେ ପାତ୍ର(୫୬) ଏବଂ ବାମୁନି ଗ୍ରାମର ଗୋପାଳ ପାତ୍ର (୩୫) କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ସେଠାରୁ ସେମାନେ ୨୦ତାରିଖ ସନ୍ଧ୍ୟାରେ ଫେରି କଳାହାଣ୍ଡି ଜିଲା ମଦନପୁର ରାମପୁରରୁ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ହେଲେ ରାୟପୁରରୁ ଗୋପାଳପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ମୋଟଗଣ୍ଡଠାରେ ଏକ ସଡ଼କ ଦୁର୍ଘଟଣାରେ ଶୁକଦେ ଏବଂ ବାମୁନିଙ୍କ ମୃତ୍ୟୁ ଘଟିଥିଲା।
ଏହି ପରିପ୍ରେକ୍ଷୀରେ ପ୍ରତିନିଧି ଦଳଙ୍କ ମଧ୍ୟରେ ଗଣ୍ଡ ସମାଜର ମହାସଚିବ ପ୍ୟାରୀମୋହନ ନାୟକ, ରାଜ୍ୟ ଉପଦେଷ୍ଟା ତଥା ନୂଆପଡ଼ା ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଚ୍ୟାରମ୍ୟାନ ହାମସିଂ ମାଝି, ପୂର୍ବତନ ବଳିଗୁଡ଼ା ବିଧାୟକ ରାଜୀବ ପାତ୍ର, ରାଜ୍ୟ ଛାତ୍ର ସଭାପତି ଶୁବ୍ରତ କୁଅଁର, କନ୍ଧମାଳ ଜିଲାର ରାଜ୍ୟ ସଦସ୍ୟ ତୁମୁଡିବନ୍ଧ ଜିଲା ପରିଷଦ ସଭ୍ୟ ନବୀନ ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରକାଶ ପାତ୍ର, କନ୍ଧମାଳ ଜିଲା ସଭାପତିସ ବିଷ୍ଣୁ ଚରଣ ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ନାୟକ, ମଧୁ ପାତ୍ର, ରବୀନ୍ଦ୍ର ପାତ୍ର, ପୂର୍ଣ୍ଣ ଚନ୍ଦ୍ର ପାତ୍ର, ରାମଚନ୍ଦ୍ର ପାତ୍ର, ସୁଦର୍ଶନ ପାତ୍ର ପ୍ରମୁଖ ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇ ଥିଲେ। ଏହା ପରେ ଦୁଇ ପରିବାରକୁ ଶୁଦ୍ଧିକ୍ରିୟା କାର୍ଯ୍ୟ ପାଇଁ ସହାୟତା ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ନେତୃବୃନ୍ଦ ଓ ବ୍ଲକସ୍ତରୀୟ ପ୍ରାୟ ଏକ ଶହରୁ ଉଦ୍ଧର୍ବ ପ୍ରତିନିଧି ଯୋଗ ଦେଇଥିଲେ। ଦୁଃଖଦ ସମୟରେ ସମାଜର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।