ଯୁକ୍ତ ୨ ପରୀକ୍ଷା ପରିଚାଳନା ନେଇ ପରିଷଦ ସମସ୍ତ ପରୀକ୍ଷା କେନ୍ଦ୍ର ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି

Oct 21, 2026 - 20:44
ଯୁକ୍ତ ୨ ପରୀକ୍ଷା ପରିଚାଳନା ନେଇ ପରିଷଦ ସମସ୍ତ ପରୀକ୍ଷା କେନ୍ଦ୍ର ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର,୨୧ା୧୦: ଆଗାମୀ ଯୁକ୍ତ ୨ ପରୀକ୍ଷାକୁ ଅଧିକ ସ୍ବଚ୍ଛ, ଶୃଙ୍ଖଳିତ ଏବଂ କପିମୁକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୨୦୨୭ ବର୍ଷର ଯୁକ୍ତ ୨ ପରୀକ୍ଷା ପରିଚାଳନା ନେଇ ପରିଷଦ ସମସ୍ତ ପରୀକ୍ଷା କେନ୍ଦ୍ର ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛି।

ରାଜ୍ୟର ସମସ୍ତ ଯୁକ୍ତ ୨ ପରୀକ୍ଷା କେନ୍ଦ୍ରରେ ବାଧ୍ୟତାମୂଳକ ଭାବେ ସିସିଟିଭି ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି। ନଭେମ୍ବର ୩୦ ଭିତରେ ଏହି ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଶେଷ ସମୟ ଧାର୍ଯ୍ୟ କରାଯାଇଛି।
ଏହି ତାରିଖ ସୁଦ୍ଧା ଏସବୁ ସୂଚନା ସାମ୍ସ ଇ-ସ୍ପେଶ (SAMS e-Space) ପୋର୍ଟାଲରେ ଅପଡେଟ୍‌ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯେଉଁ କଲେଜଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାରେ ବିଫଳ ହେବେ, ସେମାନଙ୍କର ପରୀକ୍ଷା କେନ୍ଦ୍ର ବାତିଲ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

CHSE ପକ୍ଷରୁ ରାଜ୍ୟର ସମସ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ଆନୁଷ୍ଠାନିକ ଭାବେ ଚିଠି ଲେଖି ଅବଗତ କରାଯାଇଛି। ପରୀକ୍ଷା ପରିଚାଳନାରେ କୌଣସି ପ୍ରକାରର ଅନିୟମିତତାକୁ ଏଡ଼ାଇବା ଏବଂ ପରୀକ୍ଷାକୁ ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ପରିଚାଳନା କରିବା ପାଇଁ ପରିଷଦ ଏହି ପଦକ୍ଷେପ ଗ୍ରହଣ କରିଛି। ସମସ୍ତ କଲେଜ କର୍ତ୍ତୃପକ୍ଷ ଏହାକୁ ଗମ୍ଭୀରତାର ସହ ନେଇ ସମୟସୀମା ପୂର୍ବରୁ ସମସ୍ତ ବ୍ୟବସ୍ଥା ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।