ରାଜନୀତିରେ ବଡ଼ ହଲଚଲ! ହଠାତ୍ ଇସ୍ତଫା ଦେଲେ ଏମପି…

Nov 03, 2026 - 20:26
ରାଜନୀତିରେ ବଡ଼ ହଲଚଲ! ହଠାତ୍ ଇସ୍ତଫା ଦେଲେ ଏମପି…

ବଡଗାମ,୩ା୧୧: ଶ୍ରୀନଗର ଲୋକସଭା ସାଂସଦ ସୟଦ ଆଗା ରୁହୁଲ୍ଲା ମେହେଦି ମଙ୍ଗଳବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି)ରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାର ସଙ୍କେତ ମଧ୍ୟ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଟିକେଟ୍‌ରେ ନିର୍ବାଚନ ଲଢ଼ି ସେ ବିଜୟୀ ହୋଇଥିଲେ।

ତାଙ୍କ ବାପା ଆଗା ସୟଦ ମେହେଦିଙ୍କ ୨୬ତମ ପୁଣ୍ୟତିଥି ଅବସରରେ ଆୟୋଜିତ ଏକ ସମାବେଶରେ ସେ ଦଳର ନେତୃତ୍ୱ ଉପରେ ଧାରା ୩୭୦ର ପୁନଃପ୍ରତିଷ୍ଠା ସମେତ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ ନ କରିବା ନେଇ ଅଭିଯୋଗ ଆଣିଛନ୍ତି। ଯଦିଓ ରୁହୁଲ୍ଲା ନିଜ ଭାଷଣରେ ସଂସଦରୁ ଇସ୍ତଫା ଦେବା ବିଷୟରେ ଉଲ୍ଲେଖ କରିନାହାନ୍ତି, ତେବେ ସେ ମଙ୍ଗଳବାର ପରେ ଲୋକସଭା ବାଚସ୍ପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଚିଠିରେ ସେ ଲେଖିଛନ୍ତି, “ମୁଁ ନିଜ ଇଚ୍ଛାରେ ଏବଂ ସ୍ୱେଚ୍ଛାକୃତ ଭାବେ ଏହି ଇସ୍ତଫା ଦେଇଛି। ଏହାକୁ ଗ୍ରହଣ କରିବାକୁ ଅନୁରୋଧ କରୁଛି।”

୨୦୨୪ରେ ଏନ୍‌ସି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ରୁହୁଲ୍ଲା ନିଜ ସମର୍ଥକମାନଙ୍କୁ ଦେଇଥିବା ୮୦ ମିନିଟ୍‌ର ଭାଷଣରେ ଜମ୍ମୁ-କଶ୍ମୀରରେ ଏକ ନୂତନ ରାଜନୈତିକ ଦଳ ଗଠନ କରିବା ନେଇ ସଙ୍କେତ ଦେଇଛନ୍ତି। ସେ ଫାରୁକ ଅବଦୁଲ୍ଲା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଉପରେ ବର୍ଷିଛନ୍ତି। ଭାରତୀୟ ସଂଘ ମଧ୍ୟରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଧାରା ୩୭୦କୁ ପୁନଃପ୍ରତିଷ୍ଠା କରିବା ପାଇଁ ଚାଲିଥିବା ଲଢ଼େଇକୁ ସେମାନେ ଛାଡ଼ିଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ ଦଳ ୨୦୨୪ ବିଧାନସଭା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି, ଯେଉଁଥିରେ ଧାରା ୩୭୦ର ପୁନଃପ୍ରତିଷ୍ଠା, କଏଦୀମାନଙ୍କ ମୁକ୍ତି ଏବଂ ମାଗଣା ବିଜୁଳି ଯୋଗାଣ ସାମିଲ ଥିଲା, ତାହା ପୂରଣ କରିବାରେ ବିଫଳ ହୋଇଛି। ସେ ଆଉ ଏହି ମିଛର ଅଂଶ ହୋଇ ରହିପାରିବି ନାହିଁ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।