ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

Aug 13, 2026 - 09:26
ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି ମାଧ୍ୟମରେ ରାଶନ ସବସିଡି ସିଧାସଳଖ ହିତାଧିକାରୀଙ୍କ ୱାଲେଟକୁ ପଠାଇବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ଦିଆଯାଉଥିବା ଖାଦ୍ୟ ସବସିଡିର ଚୋରି ଓ ଦୁରୁପଯୋଗକୁ ରୋକିବା।

PMGKAY ଅଧୀନରେ ଏପର୍ଯ୍ୟନ୍ତ ଲୋକଙ୍କୁ ରାଶନ ସବସିଡି ତାଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଥିଲା। କିନ୍ତୁ ଅନେକ ସମୟରେ ବ୍ୟାଙ୍କ ଖାତାକୁ ଆସୁଥିବା ଟଙ୍କାକୁ ଲୋକେ ଅନ୍ୟ କାମରେ ଖର୍ଚ୍ଚ କରିଦିଅନ୍ତି କିମ୍ବା ନିଜ ବ୍ୟକ୍ତିଗତ ଆବଶ୍ୟକତାରେ ବ୍ୟବହାର କରନ୍ତି।

ଏବେ ଡିଜିଟାଲ ରୁପି ଆକାରରେ ଟଙ୍କା ପଠାଯିବା ପରେ ଏହାକୁ କେବଳ ସରକାରୀ ରାଶନ ଦୋକାନରେ ହିଁ ଖର୍ଚ୍ଚ କରିହେବ। ୱାଲେଟରେ ଥିବା ଟଙ୍କାରେ ମୋବାଇଲ ରିଚାର୍ଜ, ମଦ, ପୋଷାକ କିମ୍ବା ଅନ୍ୟ ସାମଗ୍ରୀ କିଣିହେବ ନାହିଁ। ୱାଲେଟକୁ ପଠାଯାଇଥିବା ଟଙ୍କା କେବଳ ରାଶନ ଦୋକାନରେ ଲାଗିଥିବା କ୍ୟୁଆର୍‌ କୋଡ ସ୍କାନ କରି ଟ୍ରାନ୍ସଫର୍‌ କରାଯାଇପାରିବ।

ଜଣାଇଦେବାକୁ ଚାହୁଁଛୁ ଯେ, ପ୍ରଥମେ ପୁଡୁଚେରୀ ଓ ଗୁଜରାଟରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ସେଠାରେ ସଫଳ ପରୀକ୍ଷଣ ପରେ ଏବେ ଚଣ୍ଡିଗଡ଼ ଏବଂ ଦାଦ୍ରା ଓ ନଗର ହାବେଳିରେ ଏହି ମଡେଲ ଲାଗୁ କରାଯାଉଛି।

ଏହି ଯୋଜନାର ସବୁଠାରୁ ବଡ଼ ବିଶେଷତା ହେଉଛି ଏହା ‘ପର୍ପଜ ବାଉଣ୍ଡ’ ବା ନିର୍ଦ୍ଦିିଷ୍ଟ ଉଦ୍ଦେଶ୍ୟ ଆଧାରିତ। ଅର୍ଥାତ୍‌ ସରକାର ୱାଲେଟକୁ ପଠାଇବାକୁ ଥିବା ଡିଜିଟାଲ କରେନ୍ସିକୁ କେବଳ ଗହମ, ଚାଉଳ ଭଳି ରାଶନ ସାମଗ୍ରୀ କିଣିବା ପାଇଁ ବ୍ୟବହାର କରାଯାଇପାରିବ। ହିତାଧିକାରୀମାନେ ଏହି ଟଙ୍କାରେ ରାସନ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ କିଣିପାରିବେ ନାହିଁ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।