ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

Sep 28, 2026 - 12:50
ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର ଇନିଂସ୍‌ ଖେଳିଥିଲେ । ତାଙ୍କ ଇନିଂସ୍‌ରେ ଥିଲା ୯ଟି ଛକା ଓ ୧୦ଟି ଚୌକା। ୧୫୭.୯୫ର ଷ୍ଟ୍ରାଇକ୍‌ ରେଟ୍‌ରେ ବ୍ୟାଟିଂ କରି ଦଳକୁ ବିଜୟ ଦିଗରେ ନେଇଥିଲେ ବିରାଟ। ଏହି ଇନିଂସ୍‌ ସମୟରେ ବିରାଟ ନିଜ ODI କ୍ୟାରିୟରର ୧୫ ହଜାର ରନ୍‌ ମଧ୍ୟ ପୂରଣ କରିଥିଲେ। ମ୍ୟାଚ୍‌ ପରେ ନିଜ ରେକର୍ଡ ଓ ଉପଲବ୍ଧିକୁ ନେଇ କୋହଲି କହିଥିଲେ ଯେ, ରେକର୍ଡ ଉପରେ ତାଙ୍କର କେବେ ବି ଅଧିକ ଧ୍ୟାନ ରହିନାହିଁ । ମ୍ୟାଚ୍‌ର ପରିସ୍ଥିତି ବୁଝି ଦଳ ପାଇଁ ନିଜ ଦାୟିତ୍ୱ ତୁଲାଇବା ହିଁ ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।

କୋହଲି କହିଛନ୍ତି, ଏତେ ଦୀର୍ଘ ସମୟ ଧରି ଖେଳିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟଶାଳୀ ମନେ କରନ୍ତି । ମୁଣ୍ଡ ନୁଆଁଇ କଠିନ ପରିଶ୍ରମ କରିବା ଏବଂ ଜୀବନରେ ମିଳିଥିବା ସୁଯୋଗ ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେବା ଉଚିତ ବୋଲି ସେ କହିଛନ୍ତି। ପ୍ରଥମ ODIରେ ଭାରତର ନେତୃତ୍ୱ ନେଉଥିବା ଶୁଭମନ ଗିଲ୍‌ଙ୍କୁ ନେଇ ମଧ୍ୟ ବିରାଟ କୋହଲି ଖୋଲାଖୋଲି ପ୍ରଶଂସା କରିଛନ୍ତି । ଗିଲ୍‌ଙ୍କ ପାଖରେ ଖେଳକୁ ବୁଝିବାର ସଠିକ୍‌ ଦୃଷ୍ଟିକୋଣ ରହିଛି ଏବଂ ବିଭିନ୍ନ ପରିସ୍ଥିତିରେ ଦଳକୁ ବିଜୟୀ କରାଇବା ନେଇ ସେ ଚିନ୍ତା କରନ୍ତି ବୋଲି କୋହଲି କହିଛନ୍ତି।

ଗିଲ୍‌ଙ୍କ ସହ ବ୍ୟାଟିଂ କରିବା ସମୟରେ ପାର୍ଟନରଶିପ୍‌ ଗଢ଼ିବା କଷ୍ଟକର ହୁଏ ନାହିଁ ବୋଲି କୋହଲି କହିଛନ୍ତି । ଉଭୟ ଖେଳାଳିଙ୍କୁ ନିଜ ନିଜ ଦାୟିତ୍ୱ ବିଷୟରେ ଜଣାଥାଏ ଏବଂ ଆବଶ୍ୟକ ସମୟରେ କେଉଁ ଅଞ୍ଚଳରୁ ରନ୍‌ କରାଯାଇପାରିବ, ସେନେଇ ଆଲୋଚନା କରିପାରନ୍ତି ବୋଲି ସେ କହିଛନ୍ତି। ଗିଲ୍‌ ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ଏବଂ ତାଙ୍କୁ ଅଧିକ କିଛି ବୁଝାଇବାର ଆବଶ୍ୟକତା ନାହିଁ । ମଇଦାନରେ ଯେତେବେଳେ ଗିଲ୍‌ଙ୍କୁ ତାଙ୍କ ସହାୟତା ଦରକାର ହେବ, ସେ ସବୁବେଳେ ଉପଲବ୍ଧ ରହିବେ ବୋଲି କୋହଲି କହିଛନ୍ତି। କୋହଲିଙ୍କ ଏହି ବୟାନରୁ ଯୁବ କ୍ୟାପ୍ଟେନ୍‌ ଶୁଭମନ ଗିଲ୍‌ଙ୍କ ଉପରେ ତାଙ୍କର ଭରସା ସ୍ପଷ୍ଟ ହୋଇଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।