ଲାବରେ ଜୀବନ୍ତ ରହିଲା ମସ୍ତିଷ୍କ
ହାର୍ଭାଡ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଲାବୋରେଟରୀରେ ପ୍ରସ୍ତୁତ ମାନବ ମସ୍ତିଷ୍କ କୋଷ (ବ୍ରେନ୍ ଅର୍ଗାନଏଡ୍ସ)କୁ ସାତ ବର୍ଷ ଧରି ଜୀବନ୍ତ ଓ ସକ୍ରିୟ ରଖିବାରେ ସଫଳ ହୋଇଛନ୍ତି । ଏହି ଐତିହାସିକ କୀର୍ତ୍ତିମାନ ପୂର୍ବର ୬୯୪ ଦିନର ରେକର୍ଡକୁ ଭାଙ୍ଗିଛି । 'ନେଚର' ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନ ଅନୁସାରେ, ପୋଷକ ତତ୍ତ୍ୱର ସ୍ୱତନ୍ତ୍ର ମିଶ୍ରଣ ବ୍ୟବହାର କରି ଗୋଲମରିଚ ଆକାରର ଏହି ମିନି-ମସ୍ତିଷ୍କଗୁଡ଼ିକରେ ପ୍ରାୟ ୧୦ ଲକ୍ଷରୁ ଅଧିକ କୋଷକୁ ବର୍ଷ ବର୍ଷ ଧରି ସକ୍ରିୟ ରଖାଯାଇପାରିଛି । ବୈଜ୍ଞାନିକମାନେ ଡିଏନ୍ଏ ମେଥିଲେସନ୍ ପ୍ରୋଫାଇଲିଂ ଜରିଆରେ ଅନୁଧ୍ୟାନ କରି ଦେଖିଛନ୍ତି ଯେ ଏହି କୃତ୍ରିମ ମସ୍ତିଷ୍କଗୁଡ଼ିକର ନିଜସ୍ୱ ଜୈବିକ ଘଡ଼ି ରହିଛି । ଯାହା ଗର୍ଭାବସ୍ଥାରୁ ଆରମ୍ଭ କରି ପ୍ରାରମ୍ଭିକ ଶୈଶବାବସ୍ଥା ପର୍ଯ୍ୟନ୍ତ ମାନବ ମସ୍ତିଷ୍କର ପ୍ରାକୃତିକ ବିକାଶ ପ୍ରକ୍ରିୟା ସହ ସମ୍ପୂର୍ଣ୍ଣ ମେଳ ଖାଉଛି । ଏପରିକି ଏହି କୋଷଗୁଡ଼ିକ ମଧ୍ୟରେ ତାଙ୍କର ପୂର୍ବ ବିକାଶ ପର୍ଯ୍ୟାୟର ଆଣବିକ ସ୍ମୃତି (ମୋଲିକ୍ୟୁଲାର ମେମୋରୀ) ମଧ୍ୟ ସୁରକ୍ଷିତ ରହୁଛି । ଏହି ଅଭୂତପୂର୍ବ ଆବିଷ୍କାର ଦ୍ୱାରା ମସ୍ତିଷ୍କର ଜଟିଳ ପରିପକ୍ୱତା ପ୍ରକ୍ରିୟାକୁ ସାମ୍ନାରେ ଦେଖିବା ସମ୍ଭବ ହୋଇପାରିଛି । ତେଣୁ ଏହା ଅଟିଜିମ୍, ଆଲଜାଇମର ଏବଂ ବାର୍ଦ୍ଧକ୍ୟ ଜନିତ ମସ୍ତିଷ୍କ ରୋଗଗୁଡ଼ିକର ଗବେଷଣାରେ ଏକ ବଡ଼ ବିପ୍ଲବ ଆଣିବ ବୋଲି ହାର୍ଭାଡ୍ ଷ୍ଟେମ୍ ସେଲ୍ ଇନ୍ଷ୍ଟିଚ୍ୟୁଟ୍ର ମୁଖ୍ୟ ବୈଜ୍ଞାନିକ ଆର୍ଲୋଟା ପ୍ରକାଶ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।