ଶନି ଗ୍ରହ ସମ୍ପର୍କରେ ନୂଆ ପରୀକ୍ଷା
ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶନି ଗ୍ରହର ବଳୟ ସମ୍ପର୍କିତ ବହୁ ପୁରୁଣା ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବିଜ୍ଞାନୀମାନେ 'ପ୍ରାକ୍ସିସ' ନାମକ ଏକ ନୂତନ ମିଶନ୍ କନ୍ସେପ୍ଟ ଉପରେ କାମ କରୁଛନ୍ତି । ଯାହା ମାଧ୍ୟମରେ ପ୍ରଥମ ଥର ପାଇଁ ବଳୟର କଣିକାଗୁଡ଼ିକୁ ସିଧାସଳଖ ସଂଗ୍ରହ କରି ଅଧ୍ୟୟନ କରାଯାଇପାରିବ । କାସିନି ମିଶନ୍ ଶନି ଗ୍ରହ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ ବି, ବଳୟଗୁଡ଼ିକର ସୃଷ୍ଟି, ଗତିବିଧି ଓ ବିକାଶକୁ ନେଇ ଏବେ ବି ଅନେକ ପ୍ରଶ୍ନ ରହିଛି । ପ୍ରାକ୍ସିସ ପ୍ରଥମ ଥର ପାଇଁ ମିଲିମିଟରରୁ ସେଣ୍ଟିମିଟର ଆକାରର କଣିକାଗୁଡ଼ିକର ପ୍ରତ୍ୟକ୍ଷ ନିରୀକ୍ଷଣ କରିବ, ଯାହା ଶନି, ୟୁରେନସ୍ ଓ ନେପଚ୍ୟୁନ୍ର ବଳୟ ସମେତ ଗ୍ରହ ଓ ନକ୍ଷତ୍ର ସୃଷ୍ଟି କରୁଥିବା ଆଦ୍ୟ ଡିସ୍କଗୁଡ଼ିକୁ ବୁଝିବାରେ ସାହାଯ୍ୟ କରିବ । ଏଆଇ ଏବଂ ପ୍ରକୃତିରୁ ପ୍ରେରିତ ରୋବୋଟିକ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଏହି ମହାକାଶଯାନ ସୁରକ୍ଷିତ ଦୂରତାରେ ରହି ଏକ ନରମ ତଥା ଲମ୍ବା ବୁମ୍ ସାହାଯ୍ୟରେ ସାମ୍ପୁଲ୍ ସଂଗ୍ରହ କରିବ ଏବଂ ସେଗୁଡ଼ିକର ଆକାର, ସନ୍ଧ୍ରତା ଓ ଗଠନର ତତ୍କାଳ ଆନାଲିସିସ୍ କରିବ । 'ସାଟର୍ଣ୍ଣ ରିଙ୍ଗ୍ ଅବଜର୍ଭର' ଅଧ୍ୟୟନ ଉପରେ ଆଧାରିତ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ସିମୁଲେସନ୍ ମାଧ୍ୟମରେ ଏହାର କାର୍ଯ୍ୟକ୍ଷମତା ପରୀକ୍ଷା କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଏହାର ଏକ ପ୍ରୋଟୋଟାଇପ୍ ପ୍ରସ୍ତୁତ କରାଯିବ; ଯାହା ଭବିଷ୍ୟତରେ ଆସିବାକୁ ଥିବା 'ୟୁରେନସ୍ ପ୍ରୋବ୍' ଭଳି ଅନ୍ୟାନ୍ୟ ଗ୍ରହ ଅଭିଯାନରେ ମଧ୍ୟ ସହାୟକ ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।