ଶିକ୍ଷକ ନିଯୁକ୍ତି ଦାବିରେ ପଞ୍ଚମ ଦିନରେ ଆନ୍ଦୋଳନ, ଆଜିଠୁ ଅନଶନ

Aug 21, 2026 - 13:44
ଶିକ୍ଷକ ନିଯୁକ୍ତି ଦାବିରେ ପଞ୍ଚମ ଦିନରେ ଆନ୍ଦୋଳନ, ଆଜିଠୁ ଅନଶନ

ନନ୍ଦିଘୋଷ ବ୍ୟୁରୋ: ଲୋୟର ପିଏମଜିରେ ଚାଲିଥିବା ଶିକ୍ଷକ ଆଶାୟୀଙ୍କ ଆନ୍ଦୋଳନ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଦୁଇ ବର୍ଷ ମଧ୍ୟରେ ନିଯୁକ୍ତି ନେଇ କେବଳ ଘୋଷଣା ହୋଇଛି, ହେଲେ ଗୋଟିଏ ବି ନୂଆ ନିଯୁକ୍ତି ହୋଇନଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ଆଶାୟୀ। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ସରକାର ଯେଉଁ ନିଯୁକ୍ତିକୁ ନେଇ ବାହାବା ନେଉଛନ୍ତି, ସେହି ନିଯୁକ୍ତି ପାଇଁ ବିଜ୍ଞପ୍ତି ପୂର୍ବ ସରକାର ସମୟରେ ପ୍ରକାଶ ପାଇଥିଲା। ତେବେ ବର୍ତ୍ତମାନର ବିଜେପି ସରକାର ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଶିକ୍ଷକ ନିଯୁକ୍ତି ନେଇ ଏପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ପ୍ରକାଶ କରିନଥିବା ସେମାନେ କହିଛନ୍ତି।

ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ଖୁବଶୀଘ୍ର ଶିକ୍ଷକ ନିଯୁକ୍ତି ହେବ ବୋଲି ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ପାଲଟିଥିବା ଅଭିଯୋଗ କରିଛନ୍ତି ଆଶାୟୀ। ଏହାର ପ୍ରତିବାଦରେ ଶହ ଶହ ଶିକ୍ଷକ ଆଶାୟୀ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ଓଟିଇଟି, ଓଏସଟିଇଟି, ଜେଆରଏଫ୍‌ ଓ ନେଟ୍‌ ଭଳି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ନିଯୁକ୍ତି ନପାଇ ଏବେ ବେକାର ହୋଇ ବସିଥିବା ଆଶାୟୀମାନେ କହିଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ ଚାଲିଥିବା ବେଳେ ଆଜିଠାରୁ ଆଶାୟୀମାନେ ଅନଶନ ଆରମ୍ଭ କରିଛନ୍ତି। ଧାରଣାସ୍ଥଳରୁ ଏନେଇ ଆମ ସ୍ୱତନ୍ତ୍ର ପ୍ରତିନିଧି ଯଯାତି କେଶରୀ ମହାନ୍ତି ଶିକ୍ଷକ ଆଶାୟୀଙ୍କ ସହ ଆଲୋଚନା କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।