ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

Sep 07, 2026 - 15:37
ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର ଥାନା କେସ୍‌ ନମ୍ବର ୧୦୫/୨୦୨୩ରୁ ଉତ୍ପନ୍ନ ସି.ଟି. କେସ୍‌ ନମ୍ବର ୫୪/୨୦୨୩ରେ ଅଭିଯୁକ୍ତ ସିଗିପୁରାପରମ ବୁଡୁଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି କୋର୍ଟ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏଡିଜେ ଦେବଦତ୍ତ ପଟ୍ଟନାୟକ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।

ମାମଲାର ତଦନ୍ତ ଅଧିକାରୀ ଭାବେ ଆଇଆଇସି କଳ୍ପନା ବେହେରା ଏବଂ ଉତ୍ତମ କୁମାର ସାହୁ ଦାୟିତ୍ୱ ତୁଲାଇଥିଲେ। ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଈଶ୍ୱର ଚନ୍ଦ୍ର ଗମାଙ୍ଗ ମାମଲା ପରିଚାଳନା କରିଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଷ୍ଟେଟ୍‌ ଡିଫେନ୍ସ ଭାବେ ପ୍ରବୀଣ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।ବିଚାରଣା ସମୟରେ ସରକାରଙ୍କ ପକ୍ଷରୁ ୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।

ମାମଲାରୁ ପ୍ରକାଶ ଯେ, ୨୧ ଜୁଲାଇ ୨୦୨୩ ମଧ୍ୟରାତ୍ରିରେ ଏସ. ବୁଡୁ ଶିରିଝୋଲି ଗ୍ରାମର ଏସ. ରମେଶଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏନେଇ ବୋଷି ବୁଜି ଗୁଣପୁର ଥାନାରେ ଏତଲା ଦେଇଥିଲେ। ଏହି ମାମଲାର ବିଚାରଣା ପରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।