ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

Sep 28, 2026 - 08:12
ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି (୨୨) ଓ ତାଙ୍କ ବଡ଼ ଭାଇ ରଞ୍ଜିତ ମୁଖି (୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ୍‌ ପଠାଯାଇଛି।

ସୂଚନା ଥାଉକି, ଗତ ୨୦ ତାରିଖ ରାତିରେ ରଜାମୁଣ୍ଡା କଲ୍ୟାଣ ମଣ୍ଡପର ଜଗୁଆଳିଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ ସମୀର ଜଣେ ଯୁବତୀଙ୍କୁ ସେଠାକୁ ଆଣିଥିଲେ। ସ୍ଥାନୀୟ ହାଡୁ ନାୟକ ଓ ଅନ୍ୟ ଯୁବକମାନେ ଏହାକୁ ଆପତ୍ତି କରିବାରୁ ବାକ୍‌ଯୁଦ୍ଧ ହୋଇଥିଲା।
ସମୀର ଉତ୍ତ୍ୟକ୍ତ ହୋଇ ଭାଇ ରଞ୍ଜିତ ଓ ଅନ୍ୟ ସାଥୀଙ୍କୁ ଡାକି ହାଡୁଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ହାଡୁଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨୨ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ଫଳରେ ୨୩ ତାରିଖ ସକାଳେ ହତ୍ୟାକାରୀଙ୍କ ଗିରଫ ଓ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୃତଦେହ ରଖି ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଉପଜିଲାପାଳ, ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ମୃତକଙ୍କ ପରିବାରକୁ ପୌର ପରିଷଦ ପକ୍ଷରୁ ୫୦ ହଜାର ଟଙ୍କାର ସହାୟତା ଓ ଗିରଫଦାରୀର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ମାମଲା ରୁଜୁ କରି ପୋଲିସ ଦୁଇ ଭାଇଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜାଚାଲିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।