ସାପ ସହ ରିଲ୍ସ କରୁ କରୁ ଚାଲିଗଲା ଯୁବକଙ୍କ ଜୀବନ

Oct 10, 2026 - 15:24
ସାପ  ସହ ରିଲ୍ସ କରୁ କରୁ ଚାଲିଗଲା ଯୁବକଙ୍କ ଜୀବନ

ପୁରୀ: ପୁଣି ରିଲ୍ସ ନିଶା ହେଲା କାଳ । ଏଥର କିନ୍ତୁ ନଦୀ, ହ୍ରଦ କିମ୍ବା ଟ୍ରେନରେ ନୁହେଁ ଏକ ବିଷାକ୍ତ ସାପକୁ ଧରି ‘ରିଲ୍ସ’ ଓ ଫଟୋ ଉଠାଉଥିବା ସମୟରେ ସାପ କାମୁଡ଼ାରେ ଯୁବକଙ୍କ ଜୀବନ ଯାଇଛି । ସେ ଜଣେ ସାପ ଧରାଳି ବୋଲି ସୂଚନା ମିଳିଛି । ମୃତକଙ୍କ ପରିଚୟ  ତପନ କୁମାର ପ୍ରଧାନ । ତାଙ୍କ ଘର ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠାପୁର ଗ୍ରାମରେ ।

ତପନ ବିଷାକ୍ତ ସାପ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ । ଶୁକ୍ରବାର ତପନ ନିଜ ଘର ବାରଣ୍ଡାରେ ଏକ ସାପ ସହିତ ‘ରିଲ୍’ ସୁଟିଂ କରୁଥିଲେ । ସୁଟିଂ ସମୟରେ ସାପଟି ତାଙ୍କ ଆଙ୍ଗୁଠି, କହୁଣୀ ଏବଂ ବାହୁକୁ ଦଂଶନ କରିଥିଲା । ସାପକୁ ଧରି ତା' ସହିତ ଖେଳୁଥିବାର ଭିଡିଓ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏହି ସମୟରେ ସାପ କାମୁଡ଼ିବା ପରେ ତପନଙ୍କୁ ତୁରନ୍ତ ପୁରୀର ଏକ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଅପରପକ୍ଷରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ତପନ ଇନଷ୍ଟାଗ୍ରାମରେ ସକ୍ରିୟ ଥିଲେ ଏବଂ ସେଥିରେ ପ୍ରାୟତଃ ସାପ ସମ୍ବନ୍ଧୀୟ ଭିଡିଓ ଓ ରିଲ୍ ଅପଲୋଡ୍ କରୁଥିଲେ । ସୋସିଆଲ ମିଡ଼ିଆରେ ଲାଇକ୍ସ ଏବଂ ଭ୍ୟୁଜ୍ ପାଇବା ନିଶାରେ ବିପଜ୍ଜନକ ଷ୍ଟଣ୍ଟ କିମ୍ବା ବିଷାକ୍ତ ଜୀବଜନ୍ତୁଙ୍କ ସହ ଭିଡିଓ କରିବା କେତେ ମାରାତ୍ମକ ହୋଇପାରେ, ଏହି ଘଟଣା ତାର ଆଉ ଏକ ଦୁଃଖଦ ଉଦାହରଣ ପ୍ରସ୍ତୁତ କରିଛି । ସେହିପରି ଜି ବୋୖଦ୍ଧ ଜିଲ୍ଲାରେ ମଧ୍ୟ ଏକ ଦୁଃଖଦ ଘଟଣା ଘଟିଛି । ଜଣେ ୧୨ବର୍ଷର ନାବାଳକ ଟ୍ରେନ ଟ୍ରାକ ରେ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରି ରିଲ୍ସ କରୁଥିବାବେଳେ ଟ୍ରେନ ଧକ୍କାରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।