ସିଇସି, ଇସିଙ୍କୁ ମିଳିଥିବା ସମ୍ପୂର୍ଣ୍ଣ ଆଇନଗତ ସୁରକ୍ଷାକୁ ଚ୍ୟାଲେଞ୍ଜ, ସୁପ୍ରିମକୋର୍ଟ ଜାରି କଲେ ନୋଟିସ୍
ନୂଆଦିଲ୍ଲୀ: ନିର୍ବାଚନ କମିସନଙ୍କ ସ୍ୱାଧୀନତା ରହିବ, ନା ତାଙ୍କ କାର୍ଯ୍ୟ ଆଇନର ଉତ୍ତରଦାୟିତ୍ୱ ଭିତରେ ରହିବ। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଓ ଅନ୍ୟ ନିର୍ବାଚନ କମିସନରଙ୍କୁ ମିଳିଥିବା ସମ୍ପୂର୍ଣ୍ଣ ଆଇନଗତ ସୁରକ୍ଷାକୁ ନେଇ ଏବେ ଏହି ପ୍ରଶ୍ନ ଉଠିଛି। ୨୦୨୩ ଆଇନର ଧାରା ୧୬କୁ ଚ୍ୟାଲେଞ୍ଜ କରି ଦାଖଲ ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ ଏହି ମାମଲାରେ ଜବାବ ମାଗିଛନ୍ତି। ଆବେଦନକାରୀ ଆଇନଜୀବୀ ତଥା ସାମାଜିକ କର୍ମୀ ଅରୁଣ କୁମାର ଅଗ୍ରୱାଲଙ୍କ ଯୁକ୍ତି ଅନୁଯାୟୀ, ଏହି ଧାରା ଅଧିକାରୀଙ୍କୁ ସେମାନଙ୍କ ସରକାରୀ କାର୍ଯ୍ୟ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଦେଉଛି। ଏଥିରେ ସଦ୍ଭାବନାରେ ହୋଇନଥିବା କାର୍ଯ୍ୟ କିମ୍ବା କ୍ଷମତା ପରିସର ବାହାରେ ନିଆଯାଇଥିବା ନିଷ୍ପତ୍ତି ପାଇଁ ମଧ୍ୟ କୌଣସି ବ୍ୟତିକ୍ରମ ନାହିଁ। ତେଣୁ ଏହା ନାଗରିକଙ୍କ ଆଇନଗତ ପ୍ରତିକାରର ଅଧିକାରକୁ ସଙ୍କୁଚିତ କରୁଛି ବୋଲି ଆବେଦନରେ ଦର୍ଶାଯାଇଛି। ଅନ୍ୟପଟେ, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ମାମଲାର ଶୁଣାଣି ବେଳେ ମଧ୍ୟ ନିର୍ବାଚନ କମିସନଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ। ଭୋଟରଙ୍କୁ ହଇରାଣ କରିବା ପାଇଁ ଏହି ପ୍ରକ୍ରିୟା କରାଯାଉଛି କି ଏବଂ ଦିଲ୍ଲୀରେ ଏତେ ତରବରିଆ ଭାବେ ଏହାର ଆବଶ୍ୟକତା କ’ଣ ବୋଲି ପଚାରିଛନ୍ତି। ବିଳମ୍ବରେ ଗଣନା ଫର୍ମ ଦାଖଲର ସୁଯୋଗ ଖୋଲା ରଖିବାକୁ କୋର୍ଟ କହିବା ସହ ବାଦ୍ ପଡ଼ିଥିବା ଭୋଟରଙ୍କ ତାଲିକା ସ୍ଥାନୀୟ ଭାଷାରେ ବ୍ଲକ୍ ସ୍ତରରେ ପ୍ରଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନାମ ବାଦ୍ ପଡ଼ିବା କିମ୍ବା ସମୟସୀମା ଶେଷ ହେବା ଦ୍ୱାରା ଭୋଟରଙ୍କ ଅଧିକାର ସ୍ଥାୟୀ ଭାବେ ଶେଷ ହୁଏ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ନିର୍ବାଚନ କମିସନ ଦିଲ୍ଲୀରେ ସମୟସୀମା ବୃଦ୍ଧି ଓ ବିଳମ୍ବିତ ଫର୍ମ ଗ୍ରହଣ ନେଇ ବିଚାର କରିବେ ବୋଲି କୋର୍ଟଙ୍କୁ ଜଣାଇଛନ୍ତି। ଏସ୍ଆଇଆର ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୯ରେ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।