ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ: ଗୌରବ ଗୋଗୋଇ ଅଟକ

Sep 25, 2026 - 15:36
ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ:  ଗୌରବ ଗୋଗୋଇ ଅଟକ

ଗୌହାଟୀ : ଆସାମ କଂଗ୍ରେସ ସଭାପତି ଗୌରବ ଗୋଗୋଇ ଏବଂ ଦଳର ଅନେକ ବରିଷ୍ଠ ନେତା ଶୁକ୍ରବାର ପୁଲିସ ବ୍ୟାରିକେଡ୍ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଅଟକ ରହିଥିଲେ। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି କଂଗ୍ରେସ ଏହି ପ୍ରତିବାଦ କରିଥିଲା। ଗୌରବ ଗୋଗୋଇଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ନେତାମାନେ ରାଜୀବ ଭବନସ୍ଥିତ ଦଳୀୟ ରାଜ୍ୟ ମୁଖ୍ୟାଳୟରୁ ରାଲିରେ ବାହାରି ଥିଲେ। ସେମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଦିଗକୁ ଯାଇ ସିଇସିଙ୍କ କୁଶପୁତ୍ତଳିକା ଦାହ କରିବାକୁ ଯୋଜନା କରିଥିଲେ। ରାଜୀବ ଭବନ ନିକଟରେ ପୁଲିସ ବ୍ୟାରିକେଡ୍ ଲଗାଇଥିଲା। ଗୌରବ ଗୋଗୋଇ ଓ ଅନ୍ୟ ପ୍ରତିବାଦକାରୀ ନେତାମାନେ ବ୍ୟାରିକେଡ୍ ଅତିକ୍ରମ କରିବାକୁ ଚେଷ୍ଟା କରିବା ପରେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା। କଂଗ୍ରେସ ମୁଖପାତ୍ର ବେଦବ୍ରତ ବୋରା ଅଭିଯୋଗ କରିଥିଲେ ଯେ ନେତାମାନଙ୍କୁ ‘ଜୋରଜବରଦସ୍ତି ଗିରଫ’ କରାଯାଇଛି। ସେ ଏହାକୁ ‘ଗଣତନ୍ତ୍ର ପ୍ରତି ଆଉ ଏକ ଧମକ’ ବୋଲି ଦାବି କରିଥିଲେ। ଗୌରବ ଗୋଗୋଇଙ୍କ ବ୍ୟତୀତ ଅଟକ ରହିଥିବା ନେତାମାନଙ୍କ ମଧ୍ୟରେ ଏଆଇସିସି ସଚିବ ମନୋଜ ଚୌହାନ, ସେବା ଦଳ ସଭାପତି ଦୀପ ଭାୟନ ଏବଂ ଏପିସିସି ସାଧାରଣ ସଚିବ ଉଦିତ ଭାନୁ ଦାସଙ୍କ ସମେତ ଅନ୍ୟମାନେ ଥିଲେ । ପ୍ରତିବାଦ ସମୟରେ ଗୋଗୋଇ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ। ନିର୍ବାଚନ କମିସନର କାର୍ଯ୍ୟପ୍ରଣାଳୀରେ ଅନିୟମିତତା ହୋଇଥିବା ତାଙ୍କ ଅଭିଯୋଗ ଆଧାରରେ ସିଇସିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ସେ ଦାବି କରିଥିଲେ। ଗୋଗୋଇ କହିଥିଲେ, ‘ଆଜି ଲୋକମାନେ ଜାଣିବାକୁ ପାଇଛନ୍ତି ଯେ ଜ୍ଞାନେଶ କୁମାର ଏକ ଅପରାଧ କରିଛନ୍ତି ଏବଂ ଦେଶଦ୍ରୋହ କାର୍ଯ୍ୟରେ ଜଡ଼ିତ। ସେ ଆଜି ଇସ୍ତଫା ଦେବା ଉଚିତ ଏବଂ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବା ଉଚିତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।