ଏସଆଇଆର ଏବଂ ଏମଏମଡିଆର ପ୍ରସଙ୍ଗରେ ନବୀନଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର : ଏସଆଇଆର ଏବଂ ଏମଏମଡିଆର ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ତୀବ୍ର ପ୍ରତିକ୍ରିୟା । ଭାରତର ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି ନବୀନ । ସେ କହିଛନ୍ତି ଏସଆଇଆର ପ୍ରସଙ୍ଗରେ ପୁଣି ଥରେ ସମୀକ୍ଷା ହେବା ଦରକାର । ବିଜେଡି ଏସଆଇଆର ପ୍ରକ୍ରିୟା ବିରୋଧରେ ସବୁବେଳେ କହି ଆସିଛି । ବିଜେଡି ଏହି ଘଟଣାକୁ ଦୃଢତାର ସହ ନେବ ବୋଲି ସେ କହିଛନ୍ତି । ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବା ଏସଆଇଆରକୁ ନେଇ କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ମତଭେଦ ରିପୋର୍ଟ ପ୍ରକାଶ ପାଇବା ପରେ ନବୀନ ପଟ୍ଟନାୟକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ୨୫ ଲକ୍ଷରୁ ଅଧିକ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ସେହିପରି ,ଏମଏମଡିଆର (MMDR Amendment Act, 2026) ବିଲକୁ ବିଜେଡି ଲଗାତର ବିରୋଧ କରୁଛି । ଏମଏମଡିଆର ପ୍ରସଙ୍ଗରେ ବିରୋଧୀ ଦଳ ନେତା ଟାର୍ଗେଟ କରି କହିଛନ୍ତି ଯେ, ୨୦ ବିଜେପି ସାଂସଦ ଚୁପ ରହିଲେ ଓ ସମର୍ଥନ କଲେ । ଏହା ରାଜ୍ୟ ରାଜସ୍ୱ ପାଇଁ ବଡ କ୍ଷତି ଆଣିବ । ସେପଟେ ଏହାର ପ୍ରତ୍ୟାହାର ପାଇଁ ଦାବି କରୁଛି । ବିଜୁ ଜନତା ଦଳ ଏହାର ପୁନଃ ସମୀକ୍ଷା ପାଇଁ ସରକାରଙ୍କ ଉପରେ ଚାପ ପକାଇବ ।
ଏହି ନୂତନ ସଂଶୋଧନ ଦ୍ୱାରା ଓଡ଼ିଶା ନିଜର ଖଣିଜ ସମ୍ପଦ ଉପରେ ଟିକସ ଆଦାୟ କରିବାର ସାମ୍ବିଧାନିକ ଅଧିକାର ହରାଇବ, ଯାହାଫଳରେ ରାଜ୍ୟର ବିପୁଳ ପରିମାଣର ରାଜସ୍ୱ କ୍ଷତି (ପ୍ରାୟ ୧୨,୦୦୦ କୋଟି ଟଙ୍କା) ହେବ । ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ଏବଂ ଏହି ଆଇନର ପ୍ରତ୍ୟାହାର ପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ କରିବାକୁ ଦାବି କରିଛନ୍ତି ।
ଏ ସମ୍ପର୍କରେ ଆଜି ବିଜେଡି ବିଧାୟକମାନେ ଏଜି ଛକରେ ଠିଆ ହୋଇ ନାରାବାଜି କରିବା ସହ ସାଧାରଣ ଲୋକଙ୍କୁ ଲିଫଲେଟ୍ ବାଣ୍ଟିଛନ୍ତି । ସବୁ ମନ୍ତ୍ରୀଙ୍କ ଚାମ୍ଵରରେ ମଧ୍ୟ ଲିଫଲେଟ୍ ବଣ୍ଟା ଯାଇଛି । ଏମଏମଡିଆର ବିଲକୁ ବିରୋଧ କରି ବିଜେଡି ବିଧାୟକମାନେ ମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।