ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

Sep 24, 2026 - 23:27
ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ରାତିରେ ହଠାତ୍ କଲୋନୀ ଭିତରକୁ ନଦୀର ବନ୍ୟାଜଳ ପ୍ରବେଶ କରିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।

କଲୋନୀର ମୁଖ୍ୟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଅଧିକାଂଶ ଘର ନିକଟରେ ପାଣି ଲହଡ଼ି ମାରୁଥିବା ବେଳେ ଘର ଭିତରକୁ ପାଣି ପଶିଯିବା ଭୟରେ କଲୋନୀବାସୀ ଅନିଦ୍ରା ହୋଇ ରାତି ବିତାଉଛନ୍ତି। ପ୍ରତିବର୍ଷ ବର୍ଷା ଋତୁରେ ଏହି ଅଞ୍ଚଳରେ ଏଭଳି ଜଳବନ୍ଦୀ ସମସ୍ୟା ଦେଖାଦେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନ ଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ର, ବିଡିଓ ଅଚ୍ୟୁତାନନ୍ଦ ଯାନୀ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜଳସ୍ତର ଆହୁରି ବଢ଼ିଲେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଜଳ ନିଷ୍କାସନର ସଠିକ୍ ବ୍ୟବସ୍ଥା ଓ ଏହାର ସ୍ଥାୟୀ ସମାଧାନ ପାଇଁ କଲୋନୀବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।