ହସ୍ପିଚାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

Aug 24, 2026 - 14:47
ହସ୍ପିଚାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି ଗୋଡ଼ ଥିବା ଶିଶୁକୁ ଜନ୍ମ ଦେଇଛନ୍ତି । ନବଜାତ ଶିଶୁକୁ ଦେଖି ଡାକ୍ତର ଓ ନର୍ସମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖବର ପ୍ରଚାର ହେବା ପରେ ଶିଶୁଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।

ସୂଚନା ଅନୁସାରେ, ରୀତା ଅହିରୱାରଙ୍କ ପ୍ରସବ ଯନ୍ତ୍ରଣା ହେବା ପରେ ତାଙ୍କ ସ୍ୱାମୀ ଶିବଚରଣ ଅହିରୱାର ତାଙ୍କୁ ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଛତରପୁର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥିତ। ମହିଳାଙ୍କ ଅବସ୍ଥା ଦେଖି ନର୍ସ ତାଙ୍କୁ ତୁରନ୍ତ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିଲେ। କିଛି ସମୟ ପରେ ରୀତା ଶିଶୁଙ୍କୁ ଜନ୍ମ ଦେଇଥିଲେ।

ଶିଶୁର ଶରୀରରେ ଅତିରିକ୍ତ ହାତ ଓ ଗୋଡ଼ ଥିବା ଦେଖି ନର୍ସ ତୁରନ୍ତ ବରିଷ୍ଠ ଡାକ୍ତର ତଥା ବ୍ଲକ୍ ମେଡିକାଲ ଅଫିସର (BMO) ଡାକ୍ତର  ଜଣାଇଥିଲେ । ଡାକ୍ତର ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶିଶୁର ପରୀକ୍ଷା କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ, ଏହା କନ୍‌ଜଏଣ୍ଟ ଟ୍ୱିନ୍ସ (ଯୋଡ଼ା ଯାଆଁଳା) ସହ ଜଡ଼ିତ ଏକ ଅତ୍ୟନ୍ତ ବିରଳ ମାମଲା। ଏଭଳି ଘଟଣା ପ୍ରାୟ ଏକ ମିଲିୟନ୍‌ରେ ଜଣଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ।

ଡାକ୍ତରଙ୍କ କହିବା ଅନୁସାରେ, ଶିଶୁଟିକୁ ଉତ୍ତମ ଚିକିତ୍ସା ପାଇଁ ଜବଲପୁର ଜିଲା ହସ୍ପିଟାଲକୁ ରେଫର କରାଯାଇଛି । ଶିଶୁଙ୍କୁ ଏୟାରଲିଫ୍ଟ କରି ଜବଲପୁର ନେବା ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି।ସବୁଠାରୁ ଆଶ୍ୱସ୍ତିର କଥା ହେଉଛି, ଏବେ ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ଶିଶୁର ଜନ୍ମ ଖବର ଶୁଣି ତାଙ୍କ ବାପା ଶିବଚରଣ ତୁରନ୍ତ ଶିଶୁକୁ ଦେଖିବାକୁ ଆସିଥିଲେ । ସେ ଏହାକୁ ଭଗବାନଙ୍କ ଉପହାର ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।