୨୦୧୮ ମସିହାର ମାନହାନି ମାମଲାରେ ଦୋଷମୁକ୍ତ ହେଲେ ରାହୁଲ ଗାନ୍ଧୀ

Oct 26, 2026 - 12:07
୨୦୧୮ ମସିହାର ମାନହାନି ମାମଲାରେ ଦୋଷମୁକ୍ତ ହେଲେ ରାହୁଲ ଗାନ୍ଧୀ

ସୁଲତାନପୁର: ଉତ୍ତର ପ୍ରଦେଶର ସୁଲତାନପୁରସ୍ଥିତ ସ୍ୱତନ୍ତ୍ର ଏମ୍‌ପି/ଏମଏଏ ଅଦାଲତ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨୦୧୮ ମସିହାର ଏକ ଆପରାଧିକ ମାନହାନି ମାମଲାରେ ଦୋଷମୁକ୍ତ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଏହି ମାମଲା ରୁଜୁ ହୋଇଥିଲା। ରାୟ ଶୁଣାଣି ସମୟରେ ରାହୁଲ ଗାନ୍ଧୀ ନିଜେ ଅଦାଲତରେ ହାଜର ହୋଇଥିଲେ। ୨୦୧୮ ମସିହାର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବେଙ୍ଗାଲୁରୁରେ ଏକ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀ ତତ୍କାଳୀନ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସମ୍ପର୍କରେ ଦେଇଥିବା କଥିତ ମନ୍ତବ୍ୟକୁ ନେଇ ଏହି ମାମଲା ଦାୟର ହୋଇଥିଲା। ସୁଲତାନପୁର ଜିଲ୍ଲା ସମବାୟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ବିଜୟ ମିଶ୍ର ୪ ଅଗଷ୍ଟ ୨୦୧୮ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଏହି ମାମଲାରେ ବିଭିନ୍ନ ପର୍ଯ୍ୟାୟରେ ଶୁଣାଣି ହୋଇଥିଲା। ୨୦ ଫେବୃଆରି ୨୦୨୪ରେ ରାହୁଲ ଗାନ୍ଧୀ ଅଦାଲତରେ ଆତ୍ମସମର୍ପଣ କରିଥିଲେ ଏବଂ ତାଙ୍କୁ ଜାମିନ ମିଳିଥିଲା। ୨୬ ଜୁଲାଇ ୨୦୨୪ରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଏହାପରେ ଅଦାଲତ ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀମାନଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ଅତିରିକ୍ତ ସିଭିଲ୍ ଜଜ୍ ଶୁଭମ ବର୍ମା ପ୍ରଥମେ ୧୩ ଅକ୍ଟୋବରରେ ରାୟ ଶୁଣାଇବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ପରେ ଏହାକୁ ପରିବର୍ତ୍ତନ କରି ୨୬ ଅକ୍ଟୋବର ତାରିଖ ରଖାଯାଇଥିଲା। ୬ ଅକ୍ଟୋବର ୨୦୨୬ରେ ମାମଲାରେ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇଥିଲା ଏବଂ ୧୨ ଅକ୍ଟୋବରରେ ଶେଷ ହୋଇଥିଲା। ଶେଷରେ ୨୬ ଅକ୍ଟୋବରରେ ରାହୁଲ ଗାନ୍ଧୀ ଅଦାଲତରେ ହାଜର ହେବା ପରେ ତାଙ୍କୁ ଦୋଷମୁକ୍ତ କରାଯାଇଥିଲା। ମାର୍ଚ୍ଚ ୨୦୨୬ରେ ରାହୁଲ ଗାନ୍ଧୀଙ୍କ କଣ୍ଠସ୍ୱର ନମୁନା ସହ ତୁଳନା କରିବା ପାଇଁ ଏକ ଆବେଦନ ଦାଖଲ ହୋଇଥିଲା। ମେ ମାସରେ ଟ୍ରାଏଲ୍ କୋର୍ଟ ଏହି ଆବେଦନକୁ ଖାରଜ କରିଥିଲେ। ପରବର୍ତ୍ତୀ ସମୟରେ ଜୁଲାଇରେ ଜିଲ୍ଲା ଅଦାଲତ ଏବଂ ସେପ୍ଟେମ୍ବରରେ ଆହ୍ଲାବାଦ ହାଇକୋର୍ଟ ଏହି ନିଷ୍ପତ୍ତି ବିରୋଧରେ ହୋଇଥିବା ଆବେଦନଗୁଡ଼ିକୁ ମଧ୍ୟ ଖାରଜ କରିଥିଲେ। ସୋମବାର ଏହା ପୂର୍ବରୁ ଲକ୍ଷ୍ନୌରୁ ସୁଲତାନପୁର ଯାଉଥିବା ସମୟରେ ରାହୁଲ ଗାନ୍ଧୀଙ୍କ କାରକେଡ୍‌ର କିଛି ଗାଡ଼ି ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେରେ ପରସ୍ପର ସହ ଧକ୍କା ଖାଇଥିଲା। ସକାଳ ପ୍ରାୟ ୧୦ଟା ୧୫ ମିନିଟ୍‌ରେ ହଲିଆପୁର ଥାନା ଅଧୀନରେ ଏକ୍ସପ୍ରେସ୍‌ୱେର ୮୯.୫ କିଲୋମିଟର ଚିହ୍ନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।