ହାଇଦ୍ରାବାଦରେ ଆତ୍ମହତ୍ୟା ଧମକ ଦେଇ ପ୍ରେମିକଙ୍କୁ ବିବାହ ପାଇଁ ଚାପ ପକାଇଥିଲେ ଟେକି, ମୃତଦେହ ଉଦ୍ଧାର
ହାଇଦ୍ରାବାଦ : ହାଇଦ୍ରାବାଦରେ ଜଣେ ୨୯ ବର୍ଷୀୟା ସଫ୍ଟୱେର୍ କର୍ମଚାରୀ ନିଜ ଫ୍ଲାଟ୍ରେ ଫାଶୀ ଲଗାଇଥିବା ଅବସ୍ଥାରେ ମିଳିଛନ୍ତି। ରବିବାର ସକାଳେ ଜଣେ ସହକର୍ମୀଙ୍କ ସହ ବିଳମ୍ବିତ ରାତିରେ ଭିଡିଓ କଲ୍ରେ କଥା ହେବା ପରେ ଏହି ଘଟଣା ଘଟିଥିବା ପୋଲିସ କହିଛି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ବିବାହକୁ ନେଇ ଜଣେ ସହକର୍ମୀଙ୍କ ସହ ଭିଡିଓ କଲ୍ରେ କଥା ହେବା ସମୟରେ ସେ ଜୀବନ ହାରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ବୋଲି ପୋଲିସ ସୂଚନା ଦେଇଛି। ମୃତ ଅର୍ଚ୍ଚନା ହେଉଛନ୍ତି ଉତ୍ତର ପ୍ରଦେଶର ବାସିନ୍ଦା। ସେ ହାଇଦ୍ରାବାଦର ମାଇଣ୍ଡସ୍ପେସ୍ସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ସିନିୟର ଆସୋସିଏଟ୍ ଭାବେ କାମ କରୁଥିଲେ। ପୋଲିସ କହିବା ଅନୁଯାୟୀ, ଉତ୍ତରାଖଣ୍ଡର ବାସିନ୍ଦା ତାଙ୍କ ଜଣେ ସହକର୍ମୀଙ୍କ ସହ ତାଙ୍କର ଗତ ଚାରି ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସମ୍ପୃକ୍ତ ଯୁବକ ଛାଡ଼ପତ୍ର ପ୍ରକ୍ରିୟା ଦେଇ ଗତି କରୁଥିଲେ। ରାତି ପ୍ରାୟ ୨ଟା ୩୦ ମିନିଟ୍ରେ ଅର୍ଚ୍ଚନା ତାଙ୍କୁ ଭିଡିଓ କଲ୍ କରିଥିଲେ। ସେହି ସମୟରେ ଯୁବକ ଜଣକ ନିଜ ମାଆଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭିଡିଓ କଲ୍ ସମୟରେ ଅର୍ଚ୍ଚନା ଛାତର ପଙ୍ଖାରେ ବନ୍ଧା ହୋଇଥିବା ଏକ ଓଢ଼ଣୀ ଦେଖାଇଥିଲେ ଏବଂ ଯଦି ସେ ତାଙ୍କୁ ବିବାହ ନକରନ୍ତି, ତେବେ ନିଜ ଜୀବନ ହାରିଦେବେ ବୋଲି ଧମକ ଦେଇଥିବା ପୋଲିସ କହିଛି। ଯୁବକ ଜଣକ ସକାଳ ପ୍ରାୟ ୫ଟା ୩୦ ମିନିଟ୍ରେ ଅର୍ଚ୍ଚନାଙ୍କ ଫ୍ଲାଟ୍ରେ ପହଞ୍ଚିଥିଲେ। କିନ୍ତୁ କବାଟ ଭିତର ପଟୁ ବନ୍ଦ ଥିବାରୁ ସେ ଭିତରକୁ ଯାଇପାରିନଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।