୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ
ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହା ପଛରେ ଅନ୍ତର୍ଜାତୀୟ ସ୍ମଗଲିଂର ସନ୍ଦେହ କରାଯାଉଛି ବୋଲି ପିସିସିଏଫ୍ ପ୍ରେମ୍ ଝା କହିଛନ୍ତି।
ପିସିସିଏଫ୍ କହିଛନ୍ତି, ଦେଶର ଦୁଇରୁ ତିନୋଟି ସ୍ଥାନରେ କ୍ବଚିତ୍ ଓରାଙ୍ଗଉଟାନ ଦେଖାଯାଆନ୍ତି। ଓଡ଼ିଶାରେ ଏହି ପ୍ରଜାତିର ପ୍ରାଣୀ କେବେ ଦେଖାଯିବାର ନଜିର ନାହିଁ। ତେଣୁ ଭୋଗରାଇରୁ ଏକାଥରକେ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି।
ଘଟଣାର ତଦନ୍ତ ବନ ବିଭାଗ ପକ୍ଷରୁ କରାଯିବ। ଏଥିସହ ପୋଲିସକୁ ମଧ୍ୟ ତଦନ୍ତ ପାଇଁ କୁହାଯାଇଛି। ଓରାଙ୍ଗଉଟାନଗୁଡ଼ିକ କେଉଁଠାରୁ ଆସିଲେ, କିଏ ଆଣିଥିଲା ଏବଂ ଏହା ପଛରେ କୌଣସି ଆନ୍ତର୍ଜାତୀୟ ଚୋରାଚାଲାଣ ରାକେଟ୍ର ସମ୍ପୃକ୍ତି ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଏପଟେ ଠାବ ହୋଇଥିବା ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନରେ କ୍ବାରେଣ୍ଟାଇନ୍ରେ ରଖାଯିବ। ସେମାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ଏକ ଟିମ୍ ଭୋଗରାଇ ଅଭିମୁଖେ ବାହାରି ସାରିଥିବା ପିସିସିଏଫ୍ ସୂଚନା ଦେଇଛନ୍ତି।
ଓଡ଼ିଶାରେ ବିରଳ ଭାବେ ଠାବ ହୋଇଥିବା ଏହି ୫ ଓରାଙ୍ଗଉଟାନକୁ ନେଇ ବନ ବିଭାଗ ଓ ପୋଲିସର ତଦନ୍ତ ଆରମ୍ଭ ହେବା ସହ ଏହା ପଛରେ ଥିବା ରହସ୍ୟ ଉପରୁ ପରଦା ହଟିବାକୁ ଅପେକ୍ଷା କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।